spot_img

Latest Posts

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ପୂର୍ବାନୁମାନ

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଓଡିଶା ଉପକୂଳ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଏହା ଆଜି ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର-ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ଏହା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ପ୍ରବଳ କିମ୍ବା ଅତି ପ୍ରବଳ ବର୍ଷା ହେବା ନେଇ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର । ପାହାଡ଼ ଧସିବା, ମାଟି ଘର ଓ ରାସ୍ତା ନଷ୍ଟ ହେବାର ସମ୍ଭାବନା ଥିବା ବେଳେ ସହରାଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋ‌ଇପାରେ ।

ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୫୦ କିମି ବି ଛୁଇଁବାର ସମ୍ଭାବନା ରହିଛି। ତେବେ ୱେଲ୍‌ ମାର୍କଡ୍‌ ଲୋ ପ୍ରେସର୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ବ‌ଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ।

Latest Posts

Don't Miss