ଜାମ୍ମୁ ଓ କାଶ୍ମୀର ସ୍ଥିତି ନେଇ ନୂଆଦିଲ୍ଲୀରେ ବସିବ ଉଚ୍ଚସ୍ତରୀୟ ବୈଠକ

ଜାମ୍ମୁ କାଶ୍ମୀର: ସୁଧୁରୁନି ଜାମ୍ମୁ ଓ କାଶ୍ମୀର ସ୍ଥିତି । ଆଜି ନୂଆଦିଲ୍ଲୀରେ ବସିବ ଉଚ୍ଚସ୍ତରୀୟ ବୈଠକ । ବିଶେଷ କରି ରାଜୌରୀ ଓ ପୁଞ୍ଚରେ ଆତଙ୍କବାଦୀଙ୍କ ଦମନ ନେଇ ବୈଠକରେ କରାଯିବ ସମୀକ୍ଷା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।  ଗତ ଡିସେମ୍ବର ୨୭ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜୌରୀ ଗସ୍ତ କରିବା ସହ ସେଠାରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଏକେ ଭାଲ୍ଲା, ଗୃହମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେବେ । ବର୍ତ୍ତମାନ ସୁଦ୍ଧା 19 ଜଣ ଯବାନ ସହିଦ ହୋଇଥିବାବେଳେ 30 ଜଣ ଆତଙ୍କୀଙ୍କୁ ନିପାତ କରାଗଲାଣି । ଜାମ୍ମୁ ଓ କାଶ୍ମୀରରେ ଚଳିତବର୍ଷ ଆତଙ୍କବାଦୀ ଦମନ ନୀତି ନେଇ ବୈଠକରେ ଆଲୋଚନା ହେବ ।

ପିର ପଞ୍ଜାଲ ପାର୍ବତ୍ୟାଞ୍ଚଳରେ ରହି ଆତଙ୍କବାଦୀମାନେ ଯବାନମାନଙ୍କୁ ଟାର୍ଗେଟ କରୁଥିବା ସୂଚନା ମିଳିଛି । ଗତ ଡିସେମ୍ବର ୨୧ରେ ସୁରନକୋଟ ଇଲାକା ଅନ୍ତର୍ଗତ ଡେରା କି ଗଲି ରେ ଆତଙ୍କୀ ହମଲାରେ ୪ ଜଣ ଯବାନ ସହିଦ ହେବା ସହ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ସ୍ଥିତି ଅଧିକ ବିଗିଡିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ୨୭ ତାରିଖରେ ରାଜୌରୀ ଗସ୍ତ କରିଥିଲେ ।