ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ଆକ୍ରମଣ କଲା ବିବାହିତ ଝିଅ

ବାଲେଶ୍ବର : ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ଆକ୍ରମଣ କଲା ବିବାହିତ ଝିଅ । ବାଲେଶ୍ବର ଜିଲ୍ଲା ସୋର ଥାନା ସରଶଙ୍ଖ ପଂଚାୟତ ହାତିଗଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହୁଛନ୍ତି । ମୋବାଇଲରେ ଲଗାତାର କଥା ହେଉଥିବାରୁ ଝିଅ ଉପରେ ବିରକ୍ତି ପ୍ରକାଶ କରିଥିଲେ ମାଆ  ।

ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ମାଆଙ୍କୁ ପନିକିରେ ଆକ୍ରମଣ କରିଥିଲେ ଝିଅ କୁନି । ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରଞ୍ଜିତ ମଧ୍ୟ ଝିଅ ଆକ୍ରୋଶର ଶିକାର ହୋଇଥିଲେ । ଝିଅର ଆକ୍ରମଣରେ ରଞ୍ଜିତଙ୍କ ପେଟ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି  । ଝିଅକୁ ଅଟକ ରଖି ପୋଲିସ ତଦନ୍ତ କରୁଛି  ।