ଭୁବନେଶ୍ବରର ହୋଟେଲ ଓ ଲଜରେ ରାତି ଅଧିଆ ପୋଲିସର ସରପ୍ରାଇଜ୍ ରେଡ୍‌

ଭୁବନେଶ୍ୱର: ଆଗକୁ ହକି ବିଶ୍ୱକପ ଥିବାରୁ ହୋଟେଲ ଓ ଲଜ୍ ମାନଙ୍କରେ ଚଢ଼ାଉ କରି ହୋଟେଲରେ ରହୁଥିବା ବ୍ୟକ୍ତି ବିଶେଷଙ୍କର ତଥ୍ୟ ନେଉଛି କମିଶନରେଟ ପୋଲିସ । ସହରକୁ କିଭଳି ଭାବେ ସୁରକ୍ଷିତ ରଖାଯାଇପାରିବ, ସେଥିପାଇଁ ଏହି ଡ୍ରାଇଭ ଚାଲିଛି । ପୂର୍ବରୁ ସରାଇ ଆପ୍ ଅଧୀନରେ ସମସ୍ତ ହୋଟେଲକୁ ଆସୁଥିବା ଲୋକଙ୍କ ଡାଟା ବେଶ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲା ପୋଲିସ । ଏହି ନିୟମକୁ ଅନୁପାଳନ କରାଯାଉଛି କି ନାହିଁ ସେ ନେଇ ଖାରବେଳନଗର, କ୍ୟାପିଟାଲ, ଲକ୍ଷ୍ମୀସାଗର, ସହିଦନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଆଦି ଥାନା ଅଧୀନରେ ଥିବା ହୋଟେଲରେ ଚଢ଼ାଉ କରାଯାଇଛି । ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ।

ଯଦି କୌଣସି ବ୍ୟକ୍ତିଙ୍କ ପରିଚୟ ସନ୍ଦିଗ୍ଧ ଲାଗେ, ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି । ହକି ବିଶ୍ୱକପ ପାଇଁ ଦେଶ ଓ ଦେଶ ବାହାରୁ ହଜାର ହଜାର କ୍ରୀଡା ପ୍ରେମୀଙ୍କ ସମାଗମ ହେବ । ଏଣୁ ସେମାନଙ୍କ ସୁରକ୍ଷା ସହ ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ରାତି ଅଧରେ ହୋଟେଲ ମାନଙ୍କରେ ସରପ୍ରାଇଜ ଚେକିଂ କରିଛି ପୋଲିସ ।