ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ, ୱାର୍ଡସଭ୍ୟ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ

ନୟାଗଡ଼: ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ପଞ୍ଚାୟତ ୱାର୍ଡ଼ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ତାଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ଅନସ୍ଥା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

ଗତମାସ ୨ ତାରିଖରେ ୱାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ । ସୈାମ୍ୟ ପଞ୍ଚାୟତରେ ମନମୁଖ୍ୟ କାର୍ୟ୍ୟ କରୁଥିବା ଅଭିଯୋଗ କରିଥିଲେ । ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ୟ୍ୟଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ହୋଇଥିଲା । ଏପରିକି ସପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ ।

ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୈାମ୍ୟଙ୍କ ପାଖକୁ ନୋଟିସ କରାଯାଇଛି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ସ୍ଥିର କରାଯାଇଛି. ଆସନ୍ତା କାଲି ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ସଭାପତିତ୍ୱରେ ବୈଠକ କରାଯିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ସମସ୍ତ ୱାର୍ଡ଼ ସଭ୍ୟ ଉପସ୍ଥିତ ରହି ନିଜର ମତଦାନ ସାବ୍ୟସ୍ତ କରିବାକୁ ନୋଟିସରେ ଉଲ୍ଲେଖ ରହିଛି ।

Leave a Reply