ବିଜେଡିର ପଦଯାତ୍ରା ପାଇଁ ଆଜି ବସିବ ପ୍ରସ୍ତୁତି ବୈଠକ

1 min read

ଭୁବନେଶ୍ୱର: ବିଜେଡିର ପଦଯାତ୍ରା ପାଇଁ ଆଜି ବସିବ ପ୍ରସ୍ତୁତି ବୈଠକ । ଆଜି ଓ କାଲି ଦୁଇ ଦିନ ଯାକ ଜନସଂପର୍କ ପଦଯାତ୍ରାର ରୋଡମ୍ୟାପ ସଂପର୍କରେ ଦଳୀୟ କର୍ମୀଙ୍କୁ ଅବଗତ କରିବ ବିଜେଡି । କିପରି ମାସେ ବ୍ୟାପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ, ସେ ଦିଗରେ ଦଳର ବରିଷ୍ଠ ନେତା ଉଦବୋଧନ ଦେବେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ସକାଳ ୯ ସୁଦ୍ଧା ପହଞ୍ଚିବେ ନେତା ଓ କର୍ମୀ । ୯.୪୫ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଭର୍ଚ୍ଚୁଆଲରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ହୋଇ ସଂଧ୍ୟା ୫ଟାରେ ସରିବ । ଆଜି ଦଳର ବରିଷ୍ଠ ନେତା ଜିଲ୍ଲା, ଜୋନ, ବ୍ଲକ, ପୌରର ଯୁବ, ଛାତ୍ର ଓ ମହିଳା ସଭାପତିଙ୍କ ସମେତ କଟକ ଭୁବନେଶ୍ୱରର ଛାତ୍ର ବିଜେଡି କ୍ୟାମ୍ପସ କମିଟିର ସଦସ୍ୟଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ବୁଝାଇବେ । ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ୍, ୫Tରେ ଓଡ଼ିଶା ରୂପାନ୍ତର, ଓଡ଼ିଶା ନବନିର୍ମାଣରେ ଯୁବ, ଛାତ୍ର ଓ ମହିଳାଙ୍କ ଭୂମିକା ପରି ପ୍ରସଙ୍ଗ ଉପରେ ଆଲୋଚନା ହେବ। ସଂଗଠିତ ହୋଇ କାମ କରି ପଦଯାତ୍ରାକୁ ସଫଳ କରିବା ପାଇଁ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବେ ମୋଟିଭେସନାଲ ସ୍ପିକର।