ନୂଆ ଶିଳ୍ପନୀତି ରାଜ୍ୟରେ ପୁଞ୍ଜିନିବେଶକୁ ଆକର୍ଷିତ କରିବାକୁ ପ୍ରେରଣା ଯୋଗାଇବ: ଶିଳ୍ପ ବିଭାଗ ପ୍ରମୁଖ ସଚିବ

1 min read

ଭୁବନେଶ୍ୱର: ଫେବୃଆରୀ ୧୪-୧୫ ତାରିଖରେ ହେଉଥିବା ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩ର ଅଂଶବିଶେଷ ଭାବେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ  ହେମନ୍ତ ଶର୍ମାଙ୍କ ଦ୍ୱାରା ଆଜି ‘ଓଡ଼ିଶା-ଭାରତର ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳୀ’ ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ବରିଷ୍ଠ ଅଧିକାରୀ, ଓଡ଼ିଶା ସରକାର ସଚିବଗଣ ଏବଂ ରାଜ୍ୟର ସମସ୍ତ ଜିଲ୍ଲାପାଳ ଯୋଗଦେଇଥିଲେ । ଜିଲ୍ଲାପାଳମାନେ ଜିଲ୍ଲାର ଶିଳ୍ପ ବିକାଶର ମୁଖ୍ୟଅଙ୍ଗ ହୋଇଥିବା ହେତୁ ସେଥିରେ ସେମାନଙ୍କ ଭୂମିକା ଓ ଦାୟିତ୍ୱ ସଂପର୍କରେ ଅବଗତ କରିବା ଏହି ଅଧିବେଶନର ଉଦ୍ଦେଶ୍ୟ ଥିଲା ।

ଏଥିରେ ବରିଷ୍ଠ ଅଧିକାରୀ ଓ ସଚିବଗଣ ରାଜ୍ୟରେ ନିରନ୍ତର ଶିଳ୍ପ ବିକାଶର ଧାରା ଜାରି ରଖିବାକୁ ତାଙ୍କର ମତାମତ ପ୍ରଦାନ କରିଥିଲେ । ଏହି ଆଲୋଚନାର ମୁଖ୍ୟ ବିଷୟ ଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଞ୍ଜିନିବେଶକାରୀମାନଙ୍କୁ ବାଣିଜ୍ୟିକ ଅଭିବୃଦ୍ଧି ଏବଂ ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତିକୁ ଆଗେଇ ନେବା ପାଇଁ ସର୍ବୋତ୍ତମ ସୁଯୋଗ ପ୍ରଦାନ କରି ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବାର ସ୍ୱପ୍ନକୁ ଫଳବତୀ କରିବା । ସେ ମଧ୍ୟ ସଂପ୍ରତି କରାଯାଇଥିବା ଶିଳ୍ପନୀତି ସଂଶୋଧନ-୨୦୨୨ ସଂପର୍କରେ କହି ଏହା ରାଜ୍ୟରେ ନୂଆ ପୁଞ୍ଜିନିବେଶକୁ ଆକର୍ଷିତ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।

ଏହି ନୀତିରେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ଏବଂ ଓଡ଼ିଶାରେ ସ୍ଥାୟୀ ଶିଳ୍ପ ବିକାଶ ସକାଶେ ସୁଯୋଗ ସୃଷ୍ଟି କରାଯାଇଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ, ଯିଏ କି ଇଡ୍‌କୋର ଅଧ୍ୟକ୍ଷ ରହିଛନ୍ତି, ଇଡ୍‌କୋ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯଥା ଅଧିକ ଜମି କ୍ରୟ କରିବା, ଶିଳ୍ପପୁଞ୍ଜ, ଏମ୍‌ଏସ୍‌ଏମ୍‌ଇ ପାର୍କ ଏବଂ କ୍ଲଷ୍ଟର ବିକାଶ କରିବା ଉପରେ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀ ଶର୍ମା ରାଜ୍ୟର ରାଜନୀତି, ମାନବସମ୍ବଳ, ଅର୍ଥନୀତି, ଭୌଗୋଳିକ ପରିସ୍ଥିତି ଏବଂ ନୀତିଗତ ସୁବିଧା ରହିଥିବା ହେତୁ ଗତ କିଛି ବର୍ଷରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିବିନିଯୋଗକାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସଂପର୍କରେ କହିଥିଲେ ।

ରାଜ୍ୟ ସରକାରଙ୍କ ସଂଗଠିତ ଉଦ୍ୟମ ଯୋଗୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ରେ ୧୦ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ପୁଞ୍ଜିନିବେଶ କରିବାରେ ସୁଯୋଗ ସୃଷ୍ଟି କରିପାରିଛି ବୋଲି ସେ ଘୋଷଣା କରିଥିଲେ । ଅନ୍ୟ ରାଜ୍ୟଗୁଡ଼ିକର ଏ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ବିଷୟ ଉଲ୍ଲେଖ କରି ପ୍ରମୁଖ ଶାସନ ସଚିବ ଏହି ପ୍ରସ୍ତାବିତ ପୁଞ୍ଜିବିନିଯୋଗ ସକାଶେ ସମୟ ମଧ୍ୟରେ ପରିବର୍ତ୍ତନର ଗୁରୁତ୍ୱ ଏବଂ ନିରବଚ୍ଛିନ୍ନ ସୁବିଧା ଉପଲବ୍ଧ କରିବା ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଏହି ଅଧିବେଶନରେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟ୍ଟୱାରୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ସହ-ଉପସ୍ଥାପକ ଭାବେ ଅଂଶଗ୍ରହଣ କରିଥିଲେ । ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ କାର୍ଯ୍ୟକ୍ରମରୁ ସାଉଁଟି ଥିବା ଅଭିଜ୍ଞତା ବର୍ଣ୍ଣନା କରି ୨୦୨୨ ମସିହାରେ ଅନୁଗୋଳର ଶିଳ୍ପ ଭିତ୍ତିଭୂମି ଦୃଶ୍ୟପଟ୍ଟର ଚିତ୍ର ଉପସ୍ଥାପନ କରି ସମୟ ମଧ୍ୟରେ ପ୍ରକଳ୍ପ ଆରମ୍ଭ କରିବାକୁ ୧୦ ସୂତ୍ରୀ କାର୍ଯ୍ୟ ସଂପର୍କରେ ଧାରଣା ଦେଇଥିଲେ, ଯାହା ଅନ୍ୟ ଜିଲ୍ଲାପାଳମାନଙ୍କ ଅନୁସରଣଯୋଗ୍ୟ ।

ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସାମଲ ଶିଳ୍ପାନୁଷ୍ଠାନଗୁଡ଼ିକ ନିମନ୍ତେ ଜମି ଯୋଗାଇବା ଏବଂ ଜମି ଅଧିଗ୍ରହଣ କ୍ଷେତ୍ରରେ ଜିଲ୍ଲାସ୍ତରରେ ଦେଖାଦେଉଥିବା କେତେକ ସମସ୍ୟା ଉପରେ ଆଲୋଚନା କରି ତା’ର ସମାଧାନର ସୂତ୍ର ଉଲ୍ଲେଖ କରିଥିଲେ, ଯାହା ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ । ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପଟ୍ଟୱାରୀ ଅଧିବେଶନରେ ଜିଲ୍ଲା ପୁଞ୍ଜି ନିବେଶ ପ୍ରୋତ୍ସାହନ ସଂସ୍ଥା (ଦୀପା) ଦ୍ୱାରା ଜିଲ୍ଲାରେ କରାଯାଉଥିବା କେତେକ ସର୍ବୋତ୍ତମ କାର୍ଯ୍ୟାବଳୀର ବର୍ଣ୍ଣନା କରିଥିଲେ । ସେ ୧୨ ମାସିଆ ଏକ ଆକ୍‌ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲେ, ଯାହା ସଂପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ପ୍ରସ୍ତାବିତ ପୁଞ୍ଜିନିବେଶର ଜୀବନଚକ୍ର ଭାବେ ପରିଗଣିତ ହେବ ବୋଲି କହିଥିଲେ ।

ଜିଲ୍ଲାଗୁଡ଼ିକରେ ପୁଞ୍ଜିନିବେଶ ପ୍ରୋତ୍ସାହନ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ, ନୂତନ ପ୍ରକଳ୍ପ ପାଇଁ ନିବେଶକାରୀଙ୍କୁ ଆକର୍ଷିତ କରିବା ଆଦି କାର୍ଯ୍ୟ ପାଇଁ ଜିଲ୍ଲାପାଳମାନଙ୍କୁ ଉତ୍ସାହିତ କରି ଅଧିବେଶନକୁ ସମାପ୍ତ କରାଯାଇଥିଲା । ଏଥି ସହିତ ସେ ଜିଲ୍ଲାପାଳମାନେ ଏ ଦିଗରେ ବିଶେଷ ଯନିବାନ ହୋଇ ପ୍ରକଳ୍ପ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ, ଏକକ ବାତାୟନ ସୁବିଧା ଉପଲବ୍ଧ, ଊଚିତ ସମୟରେ ଜମି ଯୋଗାଣ ଏବଂ ନିରନ୍ତର ସହଯୋଗ ପ୍ରଦାନ କଲେ ରାଜ୍ୟରେ ଆଶାନୁରୂପ ଶିଳ୍ପ ବିକାଶ ହୋଇପାରିବ ବୋଲି କହିଥିଲେ । ପରେ ଏକ ୧୨ ମାସିଆ କାର୍ଯ୍ୟସାରଣୀ ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନିଆଯାଇଥିଲା, ଯାହା ଆସନ୍ତା ମାର୍ଚ୍ଚ ୨୦୨୩ରୁ ଫେବୃଆରୀ ୨୦୨୪ ଯାଏଁ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହା ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍‌ ଭାବେ ପରିଗଣିତ କରିବାରେ ସରକାରଙ୍କୁ ସାହାଯ୍ୟ କରିବ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ପାଇଁ ଦେଶର ବାଣିଜ୍ୟ ମୁଖଶାଳା ଭାବେ ବିବେଚିତ ହେବ ।