ୟୁପିରେ କ୍ଷମତାକୁ ଆସିଲେ ମାଗଣା ବିଜୁଳି ଦେବ ଆପ୍

ରାଜଧାନୀ ଦିଲ୍ଲୀରେ ଶାସନ ଗାଦିରେ ବସିଥିବା ଆପ୍ ଏବେ ଉତ୍ତରପ୍ରଦେଶ ଶାସନ ଡୋର ନିଜ ହାତକୁ ନେବା ପାଇଁ ଅଣ୍ଟା ଭିଡ଼ିଛି। ଆଗାମୀ ବିଧାନସଭା ନିର୍ବାଚନ ପରେ ୟୁପି ଜନତାଙ୍କୁ  ମାଗଣା ବିଜୁଳି ଓ ୩୮ ଲକ୍ଷ ପରିବାରକୁ ବାକି ଥିବା ବିଜୁଳି ଦେୟ ଛାଡ଼ କରିବାକୁ ଘୋଷଣା କରିଛି ଆପ୍ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ଏକ ସାମ୍ବାଦିକ ସମ୍ମୀଳନୀରେ ଏ ନେଇ ଘୋଷଣା କରିଛନ୍ତି।

ମନୀଷ କହିଛନ୍ତି ଯେ ଯଦି ଉତ୍ତରପ୍ରଦେଶରେ ଆପ କ୍ଷମତାକୁ ଆସେ ତେବେ ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ। ଏଥିସହ ସରକାର ଛୋଟ ଏବଂ ବଡ଼ ସମସ୍ତ ଧରଣର ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇ ଦେବେ। ସେ ଆହୁରି କହିଛନ୍ତି ଯେ ୟୁପିରେ ଆପ ସରକାର ଗଢ଼ିଲେ, ଅତ୍ୟଧିକ ବିଜୁଳି ବିଲରୁ ଅତିଷ୍ଠ ହୋଇପଡ଼ିଥିବା ୩୮ ଲକ୍ଷ ପରିବାରକୁ ବାକିଥିବା ବିଜୁଳି ଦେୟ ଛାଡ଼ କରାଯିବ।

ଆପ ଅଭିଯୋଗ କରିଛି ଯେ ଯୋଗୀ ସରକାର ବିଜୁଳି ଏତେ ମହଙ୍ଗା କରିଦେଇଛନ୍ତି ଯେ ସାଧାରଣ ଜନତାଙ୍କ ପାଇଁ ବିଲ୍ ପୈଠ କରିବା ବହୁତ କଷ୍ଟଦାୟକ ହୋଇପଡ଼ୁଛି। ଆଉ ଏଥିପାଇଁ ବହୁତ ଲୋକ ଆତ୍ମହତ୍ୟା ମଧ୍ୟ କଲେଣି। ସେ କହିଥିଲେ, ‘ୟୁପି ସକରକାର ଯେଉଁମାନେ ବିଦ୍ୟୁତ ବିଲ ପୈଠ କରିନାହାଁନ୍ତି ସେମାନଙ୍କୁ ଅପରାଧୀ ମାନୁଛି ।  ଏଥିପାଇଁ ମୁଁ କହୁଛି ଯେ ଆପ୍ କୁ ସମର୍ଥନ କରନ୍ତୁ, ଓ ଆଗାମୀ ବିଧାନସଭା ନିର୍ବାଚନରେ ୟୁପିରେ ଆପକୁ କ୍ଷମତାରେ ବସାନ୍ତୁ । ସରକାର ହେବାମାତ୍ରେ ହିଁ ନିଜର ପୂରୁଣା ବିଲକୁ ଚିରି ଫୋପାଡ଼ି ଦେବେ। ସମସ୍ତଙ୍କୁ ବକେୟା ବିଲ୍ ଛାଡ଼ କରିଦିଆଯିବ । ଏହା ଅରବିନ୍ଦ କେଜରିୱାଲଙ୍କ ପ୍ରତିଶ୍ରୁତି।’

ମନୀଷ କହିଛନ୍ତି ଯେ ଆଜି ବିଦ୍ୟୁତ୍ ବିଳାସ ନୁହେଁ ବରଂ ଏକ ମୌଳିକ ଆବଶ୍ୟକତା, ଯାହା ପ୍ରତ୍ୟେକ ନାଗରିକଙ୍କ ନିକଟରେ ମାଗଣାରେ ଉପଲବ୍ଧ କରାଇବା ପ୍ରତ୍ୟେକ ସରକାରଙ୍କ ଦାୟିତ୍ୱ।

Leave a Reply