ହୋଲି ପାଳିବେନି ଆପ୍ କର୍ମୀ, ଦିଲ୍ଲୀରେ କର୍ମୀ କରିବେ ଗର୍ଜନ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ଦିଲ୍ଲୀରେ ଆପ୍ ଗର୍ଜନ । ହୋଲି ପାଳିବେନି ଆପ୍ କର୍ମୀ । ବରଂ ଗିରଫ ପ୍ରତିବାଦରେ ହେବ ଜୋରଦାର ଲଢେଇ ।  ବିଭିନ୍ନ ସ୍ଥାନରେ ନାରାବାଜି ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଆପ୍ କର୍ମୀ । ଆପ୍ ନେତା ତଥା ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି- କେଜରିଓ୍ବାଲଙ୍କୁ ବେଆଇନ ଗିରଫ ପ୍ରତିବାଦରେ ସାରା ଦିଲ୍ଲୀରେ ଆନ୍ଦୋଳନ କରାଯିବ । ସବୁଦିଗରୁ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଆସିବା ପରେ ସେଠାରେ ବିକ୍ଷୋଭ କରାଯିବ ।

କର୍ମୀମାନେ ହୋଲି ନ ପାଳି କେଜରିଓ୍ବାଲଙ୍କ ପ୍ରତି ସମର୍ଥନ ଉଦ୍ଦେଶ୍ୟରେ ବିକ୍ଷୋଭ କରିବେ । ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଇଣ୍ଡିଆ ମେଣ୍ଟ ସହ ଆଲୋଚନା ଜାରି ରହିଛି । ଆସନ୍ତା ୩୧ ତାରିଖରେ ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ବଡ଼ଧରଣର ସମାବେଶ କରାଯିବ ଏବଂ ଏଥିରେ ସମସ୍ତ ସହଯୋଗୀ ଦଳ ଭାଗନେବା ଆଶା କରାଯାଉଛି । ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।