ପୋଲିସ ହେପାଜତରୁ ଆପ୍ ବିଧାୟକ ହରମିତ ସିଂ ପଠାନମାଜରା ଫେରାର

ନନ୍ଦିଘୋଷ ବ୍ୟୁରୋ ; ପୋଲିସ ହେପାଜତରୁ ପଞ୍ଜାବ ଆପ୍ ବିଧାୟକ ହରମିତ ସିଂ ପଠାନମାଜରା ଫେରାର। ଦୁଷ୍କର୍ମ ଅଭିଯୋଗରେ ଗିରଫ ବିଧାୟକ ଫେରାର ହୋଇଥିବା ସୂଚନା ମିଳିଛି। ସେ ପୋଲିସ ଉପରକୁ ଗୁଳି କରି ଫେରାର ହୋଇଥିବା କୁହାଯାଉଥିବାବେଳେ ତାଙ୍କର କିଛି ସହଯୋଗୀ ପୋଲିସ ଉପରକୁ ଗୁଳି କରିଥିବା କୁହାଯାଉଛି। ସାନାଉର ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ହରମିତଙ୍କୁ ହରିଆଣାର କର୍ଣ୍ଣଲରୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା। ତେବେ ପୋଲିସ ହେପାଜତରେ ଥିବାବେଳେ ତାଙ୍କର କିଛି ସହଯୋଗୀ ପୋଲିସ ଉପରକୁ ଗୁଳିମାଡ କରିଥିଲେ। ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ପୂର୍ବତନ ଦ୍ବିତୀୟ ପତ୍ନୀଙ୍କ ବିଭିନ୍ନ ଅଭିଯୋଗ ସମେତ ଅଶ୍ଳୀଳ ଭିଡିଓ ସ୍କାଣ୍ଡାଲ ବି ରହିଛି। ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଉଥିବାବେଳେ ତାଙ୍କ କିଛି ସହଯୋଗୀ ପୋଲିସ ଉପରକୁ ଗୁଳି କରିଥିଲେ। ଗୁଳିମାଡରେ ଜଣେ ପୋଲିସ ଆହତ ହୋଇଛନ୍ତି। ହରମିତ ଓ ତାଙ୍କ ସହଯୋଗୀମାନେ ଗୋଟିଏ ସ୍କର୍ପିଓ ଓ ଗୋଟିଏ ଫର୍ଚୁନରରେ ଫେରାର ହୋଇଥିବା କୁହାଯାଉଛି। ପୋଲିସ ଫର୍ଚୁନରକୁ ଜବତ କରିଥିବା ସତ୍ତ୍ବେ ସେ ସ୍କର୍ପିଓରେ ଫେରାର ହୋଇଯାଇଛନ୍ତି। ଗିରଫ ପୂର୍ବରୁ ବିଧାୟକ ଏକ ଭିଡିଓ ରିଲିଜ କରିଥିଲେ। ସେ କହିଥିଲେ ତାଙ୍କ ପୂର୍ବତନ ପତ୍ନୀଙ୍କ ଅଭିଯୋଗ ଆଧାରରେ ଆଇପିସିର ୩୭୬ ଧାରା ଅନୁସାରେ ପଞ୍ଜାବ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ଏହା ସହ ପଞ୍ଜାବ ରାଜନୀତିରେ ତାଙ୍କ ସ୍ବର ଚାପିଦେବାକୁ ଆପର ଦିଲ୍ଲୀ ଟିମ ଉଦ୍ୟମ କରୁଛନ୍ତି।