ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ, ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି ଆବାସ ଯୋଜନା

1 min read

କାଲିମେଳା: ଗରିବଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଯୋଜନାର ସଠିକ୍ ଲାଭ ଉଠାଇ ପାରୁନାହାଁନ୍ତି  ପ୍ରକୃତ ହିତାଧିକାରୀ। ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକରେ। ଆବାସ ଯୋଜନାରେ ଘର ଖଣ୍ଡେ ମିଳିନଥିବାରୁ ଝାଟିମାଟିର କୁଡିଆରେ ପାଲିଥିନ ଟାଣି ଅତି ଅସହାୟ ଅବସ୍ଥାରେ ରହୁଛନ୍ତି ସାଲେବାନଙ୍କ ପରିବାର।

ଝାଟିମାଟିର ଭଙ୍ଗା କୁଡିଆ ଘର। ତା’ ଉପରେ ପଡିଛି ଖଣ୍ଡେ ଛିଣ୍ଡା ପଲିଥିନ । ଆଉ ଏହାରି ଭିତରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ୍ ଏମଭି-79 ଗାଁରେ ସାଲେବାନ ବାଗଙ୍କ ପରିବାର । ଅତି ଗରିବ ଶ୍ରେଣୀର ହୋଇଥିବାରୁ କୁଲି ମଜୁରୀ ଲାଗି ପରିବାର ଚଳାଉଛନ୍ତି ସାଲେବାନ । ଘର ଖଣ୍ଡକୁ ମରାମତି ପାଇଁ ପାଖରେ ସମ୍ବଳ ନଥିବା ବେଳେ ଆବାସ ଯୋଜନାରେ ଘର ପାଇଁ ବହୁ ଗୁହାରୀ କରିଛନ୍ତି ।

ଦାରିଦ୍ର୍ୟର କଷାଘାତ ସହିତ କର୍ଣ୍ଣ ସମସ୍ୟାରେ ମଧ୍ୟ ପୀଡ଼ିତ ସାଲେବାନ । ଭଲ କରୁ ଶୁଣାଯାଉନବାରୁ ନିତିଦିନିଆ କାମ ମଧ୍ୟ ସଠିକ୍ ଭାବରେ  କରିପାରୁନାହାଁନ୍ତି । ଭିନ୍ନକ୍ଷମ ଭତ୍ତା ମିଳୁନଥିବା ବେଳେ ସରକାରୀ ସହାୟତା ସ୍ବରୁପ କେବଳ ପିଡ଼ିଏସ ଚାଉଳ ମିଳୁଛି । ଅନ୍ୟପଟେ ସର୍ଭେରେ ସାଲେବାନଙ୍କ ନାଁ ଅଛି ଶୀଘ୍ର ଘର ମିଳିବ ବୋଲି କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ତେବେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଏହି ପରିବାରକୁ ସରକାରୀ ସହାୟତା ସହ ଘର  ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply