ଜାତୀୟ ରାଜପଥ ୫୫ରେ ଦୁର୍ଘଟଣା, ଦୁଇ ଟ୍ରକ ମଝିରେ ଚାପିହୋଇ ଦମ୍ପତି ମୃତ

1 min read

ଅନୁଗୁଳ: ଜାତୀୟ ରାଜପଥ ୫୫ରେ ପୁଣି ଏକ ଦୁର୍ଘଟଣା ଘଟିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଚାଲି ଯାଇଛି । ଦୁଇ ଟ୍ରକ ମଝିରେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକ ମୋଟର ସାଇକେଲରେ ବଡକେରା ପଟରୁ ଅନୁଗୋଳ ଆଡକୁ ଯାଉଥିଲେ । ତାଙ୍କ ଆଗରେ ଏକ ଟ୍ରକ ଥିବା ବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡେଇ ହୋଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳି ପାରି ନାହିଁ ।