ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ, EOWରେ ରୁଜୁ ହେଲା ଆଉ ୩ଟି ମାମଲା

1 min read

ଭୁବନେଶ୍ୱର: ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । EOWରେ ରୁଜୁ ହେଲା ଆଉ ୩ଟି ମାମଲା । ଏନେଇ ସଙ୍ଗୀନ ଆରୋପ ଆଣିଛନ୍ତି ୩ ଜଣ ପୂର୍ବତନ କର୍ମଚାରୀ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ । ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ସେହିପରି ଋଣ ଦେଇଥିବା ବ୍ୟାଙ୍କକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଗତକାଲି ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଥିଲା EOW । ଚଢ଼ାଉକୁ ନେଇ ପ୍ରେସ ରିଲିଜ୍ ଜାରି କରିଛି EOW ।

ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଦଫା ୫୦୬, ୪୬୬, ୪୬୮, ୪୭୧, ୪୨୦, ୧୨୦-B IPC ଅନୁସାରେ ମାମଲା ରୁଜୁ ହୋଇଛି । ଯାଞ୍ଚ ବେଳେ ଅନେକ ସନ୍ଦେହଜନକ ଦସ୍ତାବିଜ ଜବତ କରିଛି EOW । ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି । ଆହୁରି ୨୦ ଜଣ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ ଆଣିଛନ୍ତି ।

ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଏକାଧିକ ସମ୍ବାଦ କର୍ମଚାରୀଙ୍କୁ ବଳ ପୂର୍ବକ ବ୍ୟକ୍ତିଗତ ଋଣ ନେବା ପାଇଁ ବାଧ୍ୟ କରାଯାଇଛି । କୋଟି କୋଟି ଟଙ୍କାରେ କର୍ମଚାରୀଙ୍କ ନାମରେ ସଂସ୍ଥା ଋଣ ଉଠାଇଛି । ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର । ଏନେଇ ସମ୍ବାଦର ସଂପାଦକ ସୌମ୍ୟଂରଜନ ପଟ୍ଟନାୟକ ଓ ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସମ୍ବାଦ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଠକେଇ ପରିମାଣ ୫୦ କୋଟିରୁ ଅଧିକ ହେବ । ସେହିପରି ଯାଞ୍ଚ ନେଇ କନକ ନ୍ୟୁଜ ମିଛ ଖବର ପ୍ରସାରଣ କରୁଛି ବୋଲି କହିଛି EOW । ତଦନ୍ତକାରୀ ଅଧିକାରୀ କୌଣସି ଚାପର ବଶବର୍ତ୍ତୀ ନାହାନ୍ତି । ଋଣ ଜାଲିଆତି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି EOW ।