ଜୁଆ ଖେଳରୁ ଗଣ୍ଡଗୋଳ: ଜଣଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଲେ

ବଲାଙ୍ଗୀର: ଜୁଆ ଖେଳରୁ ମହାଭାରତ । ଚାଲିଗଲା ଜଣଙ୍କ ଜୀବନ । ଜୁଆ ଖେଳ ଗଣ୍ଡଗୋଳକୁ ନେଇ ଜଣଙ୍କୁ ହତ୍ୟା କରାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ । ଏମିତି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପିପଲ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ କାଲୁ ଦୀପ ବୋଲି ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ, ଗତ ୧୧ ତାରିଖରୁ କାଲୁ ନିଖୋଜ ଥିଲେ । ଗାଁ ପୋଖରୀ ହୁଡ଼ାରେ ଜୁଆ ଖେଳ ପରେ ସେ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ଯ କୌଣସି ସନ୍ଧାନ ନପାଇବାରୁ ପୁଇଁତଳା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ଆଜି ସକାଳୁ ପୋଖରୀରେ କାଲୁଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିବା ସହ ହତ୍ୟା ଅଭିଯୋଗ କରିଥିଲେ । ଜୁଆ ଖେଳକୁ କେନ୍ଦ୍ରକରି ତାଙ୍କୁ ହତ୍ୟା ପରେ ପାଣିରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ୧୧ ତାରିଖରେ ପୋଖରୀ ନିକଟ ଥିବା ଏକ ଘରେ କାଲୁ ଜୁଆ ଖେଳକୁ ନେଇ ପାଟିତୁଣ୍ଡ କରୁଥିବା ଲୋକ ଶୁଣିଥିଲେ । ସେହି ଘରେ ଜୁଆ ଖେଳ ସହ ବେଆଇନ ମଦ ଓ କଫ ସିରପ ବିକ୍ରି ମଧ୍ଯ ହୋଇଥାଏ । ଯାହା ଫଳରେ ଅଭାବନୀୟ ଘଟଣା ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତଦେହ ମିଳିବା ପରେ ଉତ୍ତ୍ୟକ୍ତ ଲୋକେ ସେହି ଘର ଭାଙ୍ଗିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରି ମୃତ ଦେହ ଛାଡି ନଥିଲେ । ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।