ନନ୍ଦିଘୋଷ ବ୍ୟୁରୋ : ମା’ ପୁଅଙ୍କ ଉପରେ ଏସିଡ ମାଡ଼ । କେନ୍ଦ୍ରାପଡ ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ବାଛରା ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ମା’ ପୁଅଙ୍କ ଉପରେ ଏସିଡ୍ ମାଡ଼ ହୋଇଛି । ଏହି ଗାଁର ବିଜୟ ସାହୁ ଓ ରବୀନ୍ଦ୍ର ସାହୁ ପଡ଼ୋଶୀ । ବିଜୟ ପୂର୍ବରୁ ରବୀନ୍ଦ୍ରଙ୍କ ଜାଗାରେ କାର ରଖୁଥିଲେ । ନିକଟରେ ରବୀନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ମିଳିବାରୁ ବିଜୟ କାର ରଖୁଥିବା ସ୍ଥାନରେ ସେ ଏହାକୁ ନିର୍ମାଣ କରିଥିଲେ। ଏଥିପାଇଁ ସେ ବିଜୟଙ୍କୁ ଉକ୍ତ ସ୍ଥାନରେ ଗାଡ଼ି ରଖିବାକୁ ବାରଣ କରିଥିଲେ। ହେଲେ ବିଜୟ ରବୀନ୍ଦ୍ରଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ବହୁ ବାଦବିବାଦ ପରେ ଅନ୍ୟତ୍ର କାର ରଖିଥିଲେ ମଧ୍ୟ ସେ ରବୀନ୍ଦ୍ରଙ୍କ ଉପରେ ରାଗ ରଖିଥିଲେ। ପୂର୍ଵ ରାଗକୁ କେନ୍ଦ୍ର କରି ଆଜି ବିଜୟ ରବୀନ୍ଦ୍ରଙ୍କ ଉପରକୁ ଏସିଡ ପକାଇ ଥିଲେ l ସେହି ସ୍ଥାନରେ ରବୀନ୍ଦ୍ରଙ୍କ ମା’ ଥିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଉଭୟ ମା’ ଓ ପୁଅ ପ୍ରଥମେ କେନ୍ଦ୍ରାପଡ଼ାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

