ଆପାର୍ଟମେଣ୍ଟ ଲୁଟ୍ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ

ଭୁବନେଶ୍ବର: କମିଶନରେଟ ପୋଲିସର ନିଦ ହଜାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ଆପାର୍ଟମେଣ୍ଟ ଲୁଟେରାକୁ ଧରିବା ପାଇଁ ଜରୁରୀ ବୈଠକ । ରାଜଧାନୀରେ ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି ପୋଲିସ କମିଶନର । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରାଯାଇଛି । ଅଧିକାଂଶ ଲୁଟର ତରିକା ସମାନ ଥିବାରୁ ପୁଣିଥରେ ଜିରୋ ରୁ ସ୍ୱତନ୍ତ୍ର ଟିମ କରି ତଦନ୍ତ ଆରମ୍ଭ କରିବ ବୋଲି କହିଛନ୍ତି ପୋଲିସ କମିଶନର ।

ଆପାର୍ଟମେଣ୍ଟ ଲୁଟ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ । ଜିରୋ ରୁ ତଦନ୍ତ ଆରମ୍ଭ କରିବ କମିଶନରେଟ ପୋଲିସ । ସିସିଟିଭି ଫୁଟେଜକୁ ନେଇ ତର୍ଜମା କଲେ ପୋଲିସ କମିଶନର । ତୁରନ୍ତ ଲୁଟେରାଙ୍କୁ ଗିରଫ ସହ ସମ୍ପତି ରିକଭରିକୁ ଫୋକସ । ଗତ ୧ ମାସରୁ ଅଧିକ ଧରି ରାଜଧାନୀର ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରିବା ସହ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କେଉଁ ଘଟଣାର ତଦନ୍ତ କେତେବାଟ ଗଲା ଏନେଇ ସମୀକ୍ଷା ହୋଇଛି । ତେବେ ସବୁ ଚୋରିର ପୁଣିଥରେ ଜିରୋରୁ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ଗତ ୫ ମାସରେ ୧୨ରୁ ଅଧିକ ଅପାର୍ଟମେଂଟର ୨୨ରୁ ଅଧିକ ଫ୍ଲାଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସବୁ ଘଟଣାରେ ସିସିଟିଭି ଫୁଟେଜ ଜବତ ହୋଇଛି । ଅଧିକାଂଶ ଘଟଣାରେ ସମାନ ତରିକାରେ ହୋଇଛି ଚୋରି । ଯେଉଁ ସବୁ ଅପାର୍ଟମେଂଟ ରୁ ଚୋରି ହୋଇଛି, ସେସବୁ ଅପାର୍ଟମେଂଟର ସୁରକ୍ଷାକର୍ମୀଙ୍କୁ ଜେରା କରାଯାଇଛି । ଆସନ୍ତାକାଲି ଅପାର୍ଟମେଂଟ ବାସୀଙ୍କ ସହ ଆଲୋଚନା କରି ସୁରକ୍ଷା ଦିଗରେ ଆଲୋଚନା କରିବ ପୋଲିସ ।