ସକ୍ରିୟ ବାଲି ମାଫିଆ, ନିଷ୍କ୍ରିୟ ପୋଲିସ । ଦିନ ଦ୍ଵିପ୍ରହରେ ବେଧଡକ ଭାବେ ଲୁଟୁଛନ୍ତି ବାଲି ।

ନନ୍ଦିଘୋଷ ବ୍ୟୁରୋ : ମାତିଛନ୍ତି ବାଲି ମାଫିଆ । ବେଧଡକ ଲୁଟୁଛନ୍ତି ବାଲି । ଦିନ ଦ୍ଵିପ୍ରହରେ ଜନବସତି ଅଞ୍ଚଳରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି କରୁଛନ୍ତି ଚାଲାଣ । ଚୁପ ବସିଛି ପ୍ରଶାସନ ଓ ପୋଲିସ । ଯାଜପୁର ବ୍ଲକ ସିମିଳିଆ ମଇଦପୁର ଅଞ୍ଚଳରେ ବାଲି ମାଫିଆଙ୍କ ଆତଙ୍କରାଜ । ବୈତରଣୀ ନଦୀର ଶାଖା ବୁଢ଼ା ନଦୀରୁ ବାଲି ଉତ୍ତୋଳନ କରି ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି । ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ଦେଉଛନ୍ତି ଧମକ । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ନଷ୍ଟ ହେବା ସହ ରାସ୍ତାଘାଟ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗ୍ରାମବାସୀ ସାମ୍ବାଦିକ ସମ୍ମିଳନୀ କରି ପ୍ରତିବାଦ ଜଣାଇଛନ୍ତି ।
ବୁଢା ନଦୀରୁ ବାଲି ଉତ୍ତୋଳନ କରି ମାଫିଆ ମାନେ ବେଆଇନ ଭାବେ ସ୍ଥାନୀୟ ଜଗନ୍ନାଥ ପଣ୍ଡାଙ୍କ ଜାଗାରେ ଗଚ୍ଛିତ ରଖୁଛନ୍ତି । ପରେ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି । ଯାହାର ପ୍ରତିବାଦ କରି ଜଗନ୍ନାଥଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ । ପରେ ମାଫିଆ ମାନେ ଜଗନ୍ନାଥଙ୍କ ପରିବାକୁ ଧମକଚମକ ହେଇଥିଲେ । ଭୟଭୀତ ହୋଇ ପରିବାର ଲୋକେ ଖଣି ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ ଦେଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ଯ ହୋଇ ସେମାନେ ସାମ୍ଵାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।
ମାଫିଆ ଦିନ ଦ୍ଵିପ୍ରହରେ ବେଆଇନ ବାଲି ଚାଲାଣ କରୁଛନ୍ତି ହେଲେ ପ୍ରଶାସନ ଚୁପ କଣ ପାଇଁ ? ମାଫିଆଙ୍କ ପ୍ରତି ପ୍ରଶାସନର ଅହେତୁକ ଅନୁକମ୍ପା କାହିଁକି ? ମାଫିଆ ଓ ଖଣି ବିଭାଗ ଅଧିକାରୀଙ୍କ ସଲାସୁତରାରେ ଚାଲୁଛି କି ବାଲି ଉତ୍ତୋଳନ ? ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଖୁବଶୀଘ୍ର ବାଲି ଉତ୍ତୋଳନ ବନ୍ଦ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।