୨୦ ହଜାର କୋଟି ଟଙ୍କାର ଏଫପିଓ ରଦ୍ଦ କଲା ଆଦାନୀ ଗ୍ରୁପ

ନୂଆଦିଲ୍ଲୀ : ଆଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି । ୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍ । ଟଙ୍କା ଫେରିପାଇବେ ନିବେଶକ । ସେୟାର ମାର୍କେଟ ତଳ ଉପର ହେଉଥିବାରୁ କମ୍ପାନୀ ବୋର୍ଡ ଏଫପିଓ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ଚେୟାରମ୍ୟାନ୍ ଗୌତମ ଆଦାନୀ । ନିବେଶକଙ୍କ ହିତକୁ ରକ୍ଷା କରିବାକୁ ଯାଇ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ଏଫପିଓରୁ ମିଳିଥିବା ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯାଇଛି । କୌଣସି କମ୍ପାନୀ ପାଇଁ ଟଙ୍କା ଯୋଡିବାର ମାଧ୍ୟମ ହେଉଛି ଏଫପିଓ । ଯେଉଁ କମ୍ପାନୀ ପ୍ରଥମରୁ ସେୟାର ମାର୍କେଟରେ ତାଲିକାରେ ଥାଏ, ଇନଭେଷ୍ଟର୍ସଙ୍କ ପାଇଁ ନୂଆ ସେୟାର ଅଫର କରିଥାଏ । ସେୟାର ବଜାରରେ ଥିବା ସେୟାରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ।

ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି । କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି । ବୁଧବାର ଦିନ ଆଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଗୋଟିଏ ଦିନରେ ୨୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

୨୪ ଜାନୁଆରୀରେ ଆଦାନୀ ଗ୍ରୁପ ନାଁରେ ଆମେରିକାର ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଆଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ କରିଛି । ଏ ନେଇ ଆଦାନୀ ଗ୍ରୁପ ୪୦୦ରୁ ଅଧିକ ପୃଷ୍ଠାର ଏକ ଜବାବ ଦେଇଛି ବୋଲି ସୂଚନା ରହିଛି । ହିଣ୍ଡେନବର୍ଗର ରିପୋର୍ଟ ଅସତ୍ୟ ଏବଂ ଏଫପିଓକୁ ବଦନାମ କରିବାକୁ ଏକ ଷଡଯନ୍ତ୍ର ବୋଲି ଆଦାନୀ ପକ୍ଷରୁ କୁହାଯାଇଛି ।