ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗୃପ୍

ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗ୍ରୁପ । ଗୋପାଳପୁର ପୋର୍ଟ ଲିମିଟେଡର ୯୫ ପ୍ରତିଶତ ସେୟାର କିଣିଲା ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ । ୩ହଜାର ୮୦ କୋଟି ଟଙ୍କାରେ ଦେଶର ସର୍ବବୃହତ ଘରୋଇ ପୋର୍ଟ କମ୍ପାନୀ ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଏହି ପୋର୍ଟକୁ କିଣିଛି । ସାପୋରଜି ପାଲୋନଜି ଗ୍ରୁପ ଠାରୁ ୫୬ ପ୍ରତିଶତ ସେୟାର ଓ ଓଡିଶା ଷ୍ଟିଭେଡର୍ସ ଠାରୁ ୩୯ ପ୍ରତିଶତ ସେୟାର କଣିଛି ଆଦାନୀ ଗ୍ରୁପ । ପୂର୍ବ ଉପକୂଳରେ ବନ୍ଦର ଭିତ୍ତିକ ବ୍ୟବସାୟ ବୃଦ୍ଧି କରିବାକୁ ଆଦାନୀ ଗୋପାଳପୁର ବନ୍ଦରକୁ କ୍ରୟ କରିଥିବା କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏହି ବନ୍ଦର ଦେଇ ବାର୍ଷିକ ୨୦ ନିୟୁତ ମେଟ୍ରିକ ଟନ ମାଲ ପରିବହନର କରାଯାଇପାରିବ । ୨୦୦୬ରେ ରାଜ୍ୟ ସରକାର ଗୋପାଳପୁର ପୋର୍ଟ ଲିମିଟେଡକୁ ୩୦ ବର୍ଷ ପାଇଁ ବ୍ୟବସାୟୀକ ରିହାତି ପ୍ରଦାନ କରିଛନ୍ତି । ଏଥିସହିତ ଆଉ ୧୦ ବର୍ଷ ଲେଖାଏଁ ଦୁଇ ଥର ରିହାତି ଅବଧିକୁ ବୃଦ୍ଧି କରାଯିବ । ଗୋପାଳପୁର ପୋର୍ଟ ଦେଇ ଏବେ କୋଇଲା, ଲୁହାପଥର, ଚୁନପଥର ଓ ଆଲୁମିନା ଆମଦାନୀ ଓ ରପ୍ତାନୀ ହୋଇପାରୁଛି । ଆଦାନୀ ଗ୍ରୁପ ଗୋପାଳପୁର ପୋର୍ଟ କିଣିବା ପରେ ଏବେ ଓଡିଶାର ଏହି ବନ୍ଦର ସାରା ଦେଶରେ ଥିବା ଆଦାନୀର ସବୁ ବନ୍ଦର ସହ ଯୋଡି ହେବ ।

ଏହାଦ୍ବାରା ଗୋପାଳପୁର ପୋର୍ଟର କାର୍ଗୋ ହାଣ୍ଡେଲିଂ କ୍ଷମତା ମଧ୍ୟ ବୃଦ୍ଧି ପାଇବ । ଏବେ ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ, ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ୧୨ଟି ବନ୍ଦରର ବିକାଶ ଦାୟିତ୍ବ ନେଇଛି । ଏକ ଅଂଚଳରେ ବନ୍ଦରର ବିକାଶ ସିଧାସଳଖ ଭାବେ ଶିଳ୍ପାୟନର ବିକାଶରେ ସହାୟକ ହୋଇଥାଏ । ରାଜ୍ୟ ସରକାର ପ୍ରଦାନ କରିଥିବା ବ୍ୟବସାୟୀକ ରିହାତି ଦ୍ବାରା କମ୍ପାନୀ ପକ୍ଷରୁ ଆବଶ୍ୟକତା ମୁତାବକ ସଂପ୍ରସାରଣ ମଧ୍ୟ କରାଯାଇପାରିବ । ଗୋପାଳପୁର ପୋର୍ଟକୁ ରାଜ୍ୟ ସରକାର ୫୦୦ ଏକର ଜମି ଲିଜ ସୂତ୍ରରେ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ସଂପ୍ରସାରଣ ପାଇଁ ମଧ୍ୟ ରାଜ୍ୟ ସରକାର ଅଧିକ ଜମି ଯୋଗାଇଦେବେ । ୨୦୨୪ ଆର୍ଥିକ ବର୍ଷରେ ଗୋପାଳପୁର ପୋର୍ଟରେ ୧୧.୩ ନିୟୁତ ଟନ ମାଲ କାରବାର ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ୨୦୨୪ ଆର୍ଥିକ ବର୍ଷରେ ୫୨୦ କୋଟି ଟଙ୍କାର ବ୍ୟବସାୟ ହେବ,  ଯାହାକି ଗତ ଆର୍ଥିକ ବର୍ଷ ଠାରୁ ୩୯ ପ୍ରତିଶତ ଅଧିକ । ଏହି ପୋର୍ଟ ଆଗାମୀ ଦିନରେ ଏକ ଲାଭଦାୟକ ବନ୍ଦର ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୨୦୨୫ରେ ଏହି ବନ୍ଦରର ସମ୍ପ୍ରସାରଣ ଲକ୍ଷ୍ୟ ମଧ୍ୟ ରଖାଯାଇଛି ।