ଚଳିତ ଆର୍ଥିକ ବର୍ଷ ପାଇଁ ୧୬,୮୦୦ କୋଟିର ଅତିରିକ୍ତ ବଜେଟ

1 min read

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ  । ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ  । ଚଳିତବର୍ଷ ପାଇଁ ବଜେଟରେ ମୋଟ ୧୬,୮୦୦ କୋଟିର ବ୍ୟୟ ବରାଦ କରାଯାଇଛି  । ଯେଉଁଥିରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୪୯୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି ରହିଛି  ।

ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୧୧୦୧.୫୧ କୋଟି, ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି, ପଞ୍ଚୟତିରାଜ ଓ ପାନୀୟଜଳ ବିଭାଗ ଲାଗି ୮୫୪.୯୫ କୋଟି, ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  ।

ଅତିରିକ୍ତ ବଜେଟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା, ଶିକ୍ଷା ରୂପାନ୍ତରକୁ ଗୁରୁତ୍ୱ ଦିଆଯାଇଛି । ମହିଳା ସଶକ୍ତୀକରଣ, ଗ୍ରାମୀଣ ସଂଯୋଗୀକରଣ ଓ କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡ଼ାକୁ ଫୋକସ୍ କରାଯାଇଛି । ବଜେଟର ୫୫ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ଥିବା ବେଳେ ସ୍ବାସ୍ଥ୍ୟ ଯୋଜନା ପାଇଁ ଅତିରିକ୍ତ ୮୬୭କୋଟି ଟଙ୍କା ରହିଛି ।  ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ଗ୍ରାମୀଣ ସଂଯୋଗୀକରଣ ପାଇଁ ୫୫୨କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୭୨କୋଟି ଏସସି/ଏସଟି ବିକାଶ ପାଇଁ ୪୩୮କୋଟି ଥିବାବେଳେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୫୦୮କୋଟି ଟଙ୍କା ରହିଥିବାବେଳେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୨୬୩୫ କୋଟି ଟଙ୍କା ବଜେଟରେ ଉପସ୍ଥାପିତ ହୋଇଛି ।