ସେବା ଥିଲା ଜୀବନର ମନ୍ତ୍ର, ଅଲୋଡା ଲୋକଙ୍କ ପାଇଁ ଗଢିଥିଲେ ବୃଦ୍ଧାଶ୍ରମ

ଭୁବନେଶ୍ୱର: ସାହାଯ୍ୟ ପାଇଁ ରାସ୍ତାରୁ ରାସ୍ତାକୁ ଘୁରି ବୁଲେ । ଘୃଣାର ଦୁନିଆରେ ସ୍ନେହର ବସ୍ତା ସାଙ୍ଗରେ ଧରି ଚାଲେ । କେଉଁଠି ଟିକେ ସ୍ନେହ ଅଭାବି ମଣିଷଟେ ଦେଖିଲେ ପୁଳା ପୁଳା ଭଲପାଇବା ଓଜାଡ଼ି ପାକାଏ । ସେଥିପାଇଁ ତ ପରିଶ୍ରମର ଇଟାକୁ ଯୋଡ଼େଇ କରି ଭାବର ଆଜବେଷ୍ଟ ପକାଇ ତିଆରି କରିଥିଲେ ଗୋଟେ ବୃଦ୍ଧାଶ୍ରମ । ପକେଟରେ ସ୍ନେହର ଟଙ୍କାକୁ ସମ୍ବଳ କରି ଆଗେଇ ଚାଲିଥିଲେ ବୃଦ୍ଧଙ୍କୁ ସାହାଯ୍ୟ କରି । ବୟସର ଅପରାହ୍ନରେ ଆସି ସମ୍ପର୍କକୁ ହରାଇଥିବା ଲୋକଙ୍କୁ ଦେଉଥିଲେ ସମ୍ପର୍କର ନୂଆ ଠିକଣା “ମାନବ ପ୍ରେମୀ ଆଦିତ୍ୟର ମନ” । ତାଙ୍କ ମନରେ ଥିଲା ଅଗାଢ ପ୍ରେମ ।

କେତେବେଳେ ଅଲୋଡ଼ା ବାପ ପାଇଁ ପୁଅଟେ ହେଉଥିଲେ ତ ପୁଣି କେତେବେଳେ ମାଆ ଡାକରେ ଭରି ଦେଉଥିଲେ ଅଲୋଡ଼ା ମାଆର ପଣତ । ଖାଲି ସେତିକି ନୁହେଁ ବୃଦ୍ଧା ଆଶ୍ରମରେ ବୃଦ୍ଧ ମାନଙ୍କର ଶେଷ ଇଚ୍ଛା ପୂରଣ ପାଇଁ ଯେମିତି ସେ ପଣ ନେଇଥିଲେ । ଆଶ୍ରମରେ କେହି ବି ମରିଗଲେ ଚାରି କାନ୍ଧ ଭିତରୁ ଗୋଟେ କାନ୍ଧ ହେଉଥିଲେ ସେ । ଅନ୍ତେଷ୍ଟିକ୍ରିୟା ପୁଅଟେ ହୋଇ ନିଭାଉଥିଲେ । ସେହି ଭଳି ଜଣେ ମଣିଷ ଥିଲେ ଆଦିତ୍ୟ ଦାସ । କେହି କେହି ତାକୁ ଆଦି ବୋଲି ବି ସ୍ନେହରେ ଡ଼ାକନ୍ତି । କିନ୍ତୁ ଆଜି ସେ ସମସ୍ତଙ୍କୁ ପର କରି ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ।

ମରଣ କେତେବଳେ ଯେ ତାର ଅଧିନକୁ ନେଇଯିବ ସେକଥା କିଏବା ଜାଣିଥାଏ । ଦୁନିଆକୁ  ଭଲ ପାଇବା ଶିଖାଉଥିବା ଆଦି ଯେ ଆଜି ଏମିତି କିଛି କରିବ ତାହା କେହିବି ଭାବିପାରୁ ନାହାନ୍ତି । ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ସେ ଥିଲେ ମାହିର୍ । ସୋସିଆଲ୍ ମିଡିଆରେ ଯାହାଙ୍କ ଭିଡିଓକୁ ଦେଖି ଅନୁପ୍ରାଣିତ ହେଉଥିଲେ ଅନେକ । ମଣିଷର ମନ କଥା ବୁଝୁଥିବା ମଣିଷ ଟିଏ ଥିଲେ ଆଦିତ୍ୟ ଦାଶ । ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ ଫର୍ ସେବା’ ଗଠନ କରି ଅସହାୟଙ୍କ ନିକଟରେ ଅସମୟରେ ଛିଡ଼ା ହେଉଥିଲେ ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ମାତ୍ର କିଛି ଦିନ ମଧ୍ୟରେ ସମାଜ ପାଇଁ ସେ ବହୁତ କିଛି କରିଥିଲେ । ପରକୁ ଆପଣାର କରୁଥିଲେ । ମଣିଶଠାରୁ ପଶୁ ସମସ୍ତଙ୍କ ପାଇଁ ତାଙ୍କ ମନରେ ଥିଲା ଭଲ ପାଇବା । ଏବେ କିନ୍ତୁ ଆଦି ଇତିହାସ । ତାଙ୍କ ମୃତ୍ୟୁ ଗୋଟିଏ ବଡ ପ୍ରଶ୍ନ । ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ଧନ୍ଦି ହେଉଛନ୍ତି ତାଙ୍କ ପରିବାର ଓ ପ୍ରଶଂସକ ।

 

ଆଦିତ୍ୟ କେବଳ ଯେ ଖାଲି ବୃଦ୍ଧାଶ୍ରମ କରିଥିଲେ ତାହା ନୁହେଁ  । ସେ ଓଡ଼ିଶାର ପ୍ରତ୍ୟକଟି କୋଣ ଅନୁକୋଣକୁ ଯାଇ ମଦ ବିରୋଧି ଆନ୍ଦୋନ ଲଢ଼ିଥିଲେ । ମହାତ୍ମାଗାନ୍ଧି ଯେମିତି ଅହିଂସା ବିରୁଦ୍ଧରେ ଲଢ଼େଇ କରିଥିଲେ ଠିକ୍‌ ସେମିତି ଆଦିତ୍ୟ ମହାତ୍ମା ଗାନ୍ଧିଙ୍କ ରୂପ ନେଇ ମଦ ବିରୁଦ୍ଧରେ ଲଢ଼ିଥିଲେ। ଖାଲି ପାଦରେ, ନା ଖରା ନା ବର୍ଷା  । ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଚାଲିଥିଲେ ଗାଁରୁ ଗାଁ ସହରଠୁ ସହର । କିନ୍ତୁ ଆଜି ବୋଧେ ସବୁ ଅଟକି ଯିବ ନା ତାଙ୍କ ପ୍ରେରଣାରେ ତିଆରି ହେବେ ଆହୁରି କେତେ ଆଦିତ୍ୟ ।

ସୂଚନା ଆନୁଯାୟୀ, ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ତାଙ୍କର ରକ୍ତାକ୍ତ ମୃତଦେହ ମିଳିଛି । ତେବେ ଆଦିତ୍ୟଙ୍କ ମୃତ୍ୟୁ ହେଲା କେମିତି ? ତାଙ୍କୁ ହତ୍ୟା କରାଯାଇଛି ନା ସେ ସୁଇସାଇଡ୍ କରିଛନ୍ତି । ତାହା ଏବେ ବି ସନ୍ଦେହ ଘେରରେ ।

Leave a Reply