କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିଦାନ ଓ କ୍ୟାନସର କେୟାର ସେଣ୍ଟର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ରୋଗୀ ସେବା । କର୍କଟ ରୋଗୀଙ୍କୁ ଅନ୍ୟତ୍ର କିମ୍ବା ଘରୋଇ ହସ୍ପିଟାଲ ଉପରେ ନିର୍ଭର କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । କ୍ୟାପିଟାଲ ହସ୍ପିଟାଲରେ ଦୁଇଟି ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ମିଳିଲା ପ୍ରଶାସନିକ ଅନୁମୋଦନ । ପ୍ରତିଷ୍ଠା ହେବ ରାଜ୍ୟ ଜନ ସ୍ଵାସ୍ଥ୍ୟ ନିଦାନ ବା ପରୀକ୍ଷାଗାର ଏବଂ କ୍ୟାନ୍ସର କେୟାର ସେଣ୍ଟର । କ୍ୟାନ୍ସର କେୟାର ସେଣ୍ଟର ପାଇଁ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାକୁ ଥିବା ବେଳେ, ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୪୯ କୋଟି ୩୪ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି ।

ରାଜ୍ୟ ଜନସ୍ଵାସ୍ଥ୍ୟ ନିଦାନ ବିଭାଗ ପାଇଁ ୪ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାକୁ ଥିବା ବେଳେ, ଏଥିପାଇଁ ବିଭାଗ ପକ୍ଷରୁ ୨୦ କୋଟି ୩୫ ଲକ୍ଷ ଟଙ୍କାର ଆର୍ଥିକ ଅନୁମୋଦନ ମିଳିଛ । ଉଭୟ ବିଭାଗ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।