ଓଜନ କମିବାର ରାଜ୍‌ କହିଲେ ଅଦନାନ, ଥିଲେ ୨୨୦ ହେଲେ ୭୫

ମୁମ୍ବାଇ:  ଏବେ ଚାରିଆଡେ ଲୋକପ୍ରିୟ ଗାୟକ ଅଦନାନ ସାମିଙ୍କ ଚର୍ଚ୍ଚା  । ତାଙ୍କ ଜଣାଶୁଣା ଗୀତ ‘ଲିଫ୍ଟ କରା ଦୋ’ ଓ ‘ଭିଗି ଭିଗି ରାତୋ ମେଁ’ ପରି ହିଟ୍‌ ଗୀତ ସମସ୍ତଙ୍କୁ ମତୁଆଲା କରିଥିବ ନିଶ୍ଚିତ । ସଫଳ ଗାୟକ ଛଡା ଅଦନାନଙ୍କ ବର୍ଦ୍ଧିତ ଓଜନ ପାଇଁ ବହୁ ସମୟରେ ସେ ଟ୍ରୋଲର ଶିକାର ହୋଇଥାନ୍ତି । ଗୋଟିଏ ପଟେ ତାଙ୍କ ହିଟ୍‌ ଗୀତ ଆଉ ଅନ୍ୟପଟେ ଓଜନ ଯେଉଁଥିପାଇଁ ବଲିଉଡରେ ଅଦନାନଙ୍କ ଚର୍ଚ୍ଚା । ଏବେ କିନ୍ତୁ ଏହି ଚର୍ଚ୍ଚାରେ ବିରାମ ଲଗାଇ ବଲିଉଡ ଗସିପ୍‌କୁ ନୂଆ ପ୍ରସଙ୍ଗ ଦେଇଛନ୍ତି ଅଦନାନ୍‌ ।

କିଛି ବର୍ଷ ପୂର୍ବେ ଅଦନାନଙ୍କ ଓଜନ ପାଖାପାଖି ୨୨୦ କିଲୋ ଥିଲା । ଯାହା ଏବେ ୭୫ କିଲୋଗ୍ରାମରେ ପହଞ୍ଚିଛି । ଅଦନାନଙ୍କ ନୂଆ ଲୁକ ଦେଖି ଦିୱାନା ତାଙ୍କ ଫ୍ୟାନ୍ସ । ଏକଦା ମୋଟାପଣ ପାଇଁ ସେ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ । ତାଙ୍କ ହୃଦପିଣ୍ଡରେ ଚର୍ବିର ସ୍ତର ପହଞ୍ଚି ଯାଇଥିବାରୁ ନିଶ୍ବାସ ନେବାରେ ସେ ଅସୁବିଧା ମନେ କରୁଥିଲେ । ଯଦି ତୁରନ୍ତ ଓଜନ କମ ନ କରନ୍ତି ୬ ମାସରୁ ଅଧିକ ଦିନ ସେ ବଞ୍ଚିବେ ନାହିଁ ବୋଲି ଡାକ୍ତର ଚେତାବନୀ ଦେଇଥିଲେ । ଯାହାପରେ ଆରମ୍ଭ ହୋଇଥିଲା ଅଦନାନଙ୍କ ଓଜନ କମ ଯାତ୍ରା ।

କୌଣସି ସର୍ଜରୀ କରି ଓଜନ କମ କରି ନାହାନ୍ତି ଅଦନାନ । ବରଂ ଖାଦ୍ୟାଭାସରେ ସେ କିଛି ପରିବର୍ତ୍ତନ ଆଣିଥିଲେ । କେବଳ ସାଲାଡ, ମାଛ ଓ ସିଝା ଡାଲି ଖାଇବାକୁ ବିଶେଷଜ୍ଞ ତାଙ୍କୁ ପରାମର୍ଶ ଦେଇଥିଲେ । ବିନା ଚିନିରେ ଚା’ ପିଇ ସେ ସକାଳ ଆରମ୍ଭ କରୁଥିଲେ । ଏହାପରେ ଦ୍ବିପ୍ରହରରେ ସେ ସାଲାଡ ଓ ମାଛ ଖାଉଥିଲେ । ସେହିପରି ରାତ୍ରି ଭୋଜନରେ ସିଝା ଡାଲି ନଚେତ ଚିକେନ ଖାଉଥିଲେ  । ସକାଳର ଜଳଖିଆରେ ପପକର୍ଣ୍ଣ ଖାଉଥିଲେ ଅଦନାନ  । ତାଙ୍କ ଓଜନ ଏତେ ଥିଲା ଯେ ସେ ନଇଁକରି କୌଣସି କାମ କରିପାରୁ ନଥିଲେ । ତାଙ୍କ ଓଜନ ଯେତେବେଳେ ୩୦ କିଲୋଗ୍ରାମ କମ ହୋଇଥିଲା ସେ ଟ୍ରେଡମିଲରେ ଚାଲିବା ଆରମ୍ଭ କରିଥିଲେ ।

ସପ୍ତାହକୁ ୬ ଦିନ କାର୍ଡିଓ ବ୍ୟାୟାମ କରି ମାସକୁ ୧୦ କିଲୋ ଓଜନ କମାଇଥିଲେ ଅଦନାନ  । ଏବେ ତାଙ୍କ ଓଜନ ୭୫ କିଲୋଗ୍ରାମରେ ପହଞ୍ଚିଛି  । ଡାକ୍ତରଙ୍କ କହିବା ମୁତାବକ ସେ ଇମୋସନାଲ ଇଟିଂର ଶିକାର ହୋଇଥିଲେ । ବ୍ୟସ୍ତ ବିବ୍ରତ ବା ନକରାତ୍ମକ ଚିନ୍ତାରେ ଥିବା ବ୍ୟକ୍ତି ଇମୋସନାଲ ଇଟିଂର ଶିକାର ହୋଇ ଚକୋଲେଟ, ପିଜା, ଆଇସକ୍ରିମ, ମିଠା ଓ ଜଙ୍କଫୁଡ ଖାଇଥାଏ  । ଯେଉଁଥିପାଇଁ କମ ବୟସରେ ଓଜନ ବୃଦ୍ଧି ହୋଇଥାଏ  ।