spot_img

Latest Posts

ଘଞ୍ଚ ଜଙ୍ଗଲରେ ଆରମ୍ଭ ହେବ ଆଡ଼ଭେଞ୍ଚର ଟୁରିଜମ୍।

ନନ୍ଦିଘୋଷ ବ୍ୟୁରୋ : ଘଞ୍ଚ ଜଙ୍ଗଲରେ ଆରମ୍ଭ ହେବ ଆଡ଼ଭେଞ୍ଚର ଟୁରିଜମ୍। ଦେବ୍ରୀଗଡ଼, ଚନ୍ଦକା, ଶିମିଳିପାଳ, ସାତକୋଶିଆ ଭଳି ଅଭୟାରଣ୍ୟରେ ରାତ୍ରୀ ଯାପନ କରିବେ ପର୍ଯ୍ୟଟକ। ହେଲେ ବନ୍ୟଜନ୍ତୁଙ୍କ ସୁରକ୍ଷା ହେଉଛି ଜଙ୍ଗଲ ବିଭାଗର ପ୍ରାଥମିକତା। ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବାକୁ ଥିବା ବନ୍ୟପ୍ରାଣୀ ସପ୍ତାହରେ ବିଭାଗର ମୂଳ ଳକ୍ଷ୍ୟ ହେଲା ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ନିରାପତ୍ତା। ହାତୀ-ମଣିଷ ଲଢ଼େଇରେ କ୍ଷତିପୂରଣ ରାଶିକୁ ୬ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବଢାଯାଇଛି। ଘଞ୍ଚ ଜଙ୍ଗଲରେ ବସୁଛି ଏଆଇ ଟାଓ୍ବାର, କ୍ୟାମେରା ନଜରରେ ରହୁଛି କୋର ଏରିଆ। ହାତୀ ଗତିପଥ ଜାଣିବା ପାଇଁ ଉଡୁଛି ଡ଼୍ରୋନ, ଦେହରେ ଲାଗୁଛି ରେଡ଼ିଓ କଲାର।  ସେପଟେ ସାତକୋଶିଆ ଅଭୟାରଣ୍ୟକୁ ବାଘ ଆଣିବା ପାଇଁ ପୁଣି ଥରେ ଉଦ୍ୟମ କରାଯିବ ବୋଲି ପିସିସିଏଫ୍ କହିଛନ୍ତି। ହାତୀ-ମଣିଷ ଲଢେଇ ରୋକିବାକୁ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଦିଆଯାଉଛି ହାତୀଙ୍କୁ ପ୍ରଶିକ୍ଷଣ। ଅମାନିଆ ହାତୀଙ୍କୁ ମନାଇବେ ଟ୍ରେନେଡ଼ ହାତୀ। କର୍ଣ୍ଣାଟକରୁ ଆଉ ୫ କୁମକୀ ହାତୀ ଆଣିବାକୁ ଯୋଜନା ହୋଇଛି।

ବନ୍ୟପ୍ରାଣୀ ସପ୍ତାହ ଆରମ୍ଭରେ ଟିମ୍ ନନ୍ଦିଘୋଷ ପହଞ୍ଚିଥିଲା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟର ଗୋଡ଼ିବାରୀ। ଯେଉଁଠି ଚାଲିଛି ହାତୀଙ୍କ ଚିକିତ୍ସା, ଥଇଥାନ ଓ ପ୍ରଶିକ୍ଷଣ ଶିବିର। ଗୋଡ଼ିବାରୀର ପ୍ରବେଶ ପଥରେ ରାମୁର ବିଶାଳ କଙ୍କାଳ ପର୍ଯ୍ୟଟକଙ୍କ ପାଇଁ ରଖାଯାଇଥିବା ବେଳେ ଅକ୍ଟୋବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପିତ କରିବେ। ଜଙ୍ଗଲ ଭିତରେ ୧୩-୧୪ କିଲୋମିଟର ଗଲା ପରେ ଆସିବ କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ ଶିବିର। ଏଠାରେ ଏବେ ୯ଟି ହାତୀ ଥିବା ବେଳେ ୧୮ ମାହୁନ୍ତ ଅଛନ୍ତି। ରଣପୁରର ରାଣୀ, କେନ୍ଦୁଝରର ଜଗା, ସୀମା ଏଠାରେ ଆଗରୁ ଥିବା ଉମା,କାର୍ତ୍ତିକ ସହ ରହୁଛନ୍ତି। ପୂର୍ବରୁ ମଣିଷମରା ଦନ୍ତାହାତୀ ଶଙ୍କର ମଧ୍ୟ ଏଠାରେ ଅଛି। ଏଠାରେ କେମିତି ଚାଲିଛି ହାତୀଙ୍କ ଚିକିତ୍ସା ? କିପରି ଚାଲିଛି ପ୍ରଶିକ୍ଷଣ,? କେମିତି ଅଛନ୍ତି ହାତୀ ? ସେ ବାବଦରେ ଜାଣିବାକୁ ଆମେ ମାହୁନ୍ତ ଓ ଅଧିକାରୀଙ୍କ ସହ କଥା ହୋଇଥିଲୁ।

ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର ଉପରେ ବନ ବିଭାଗ ଗୁରୁତ୍ବ ଦେଉଥିବା ବେଳେ ଏବେ ଆରମ୍ଭ ହେବାକୁ ଯାଉଛି ଆଡ଼ଭେଞ୍ଚର ଟୁରିଜମ୍। ଗୋଟେ ପଟେ ପର୍ଯ୍ୟଟନର ବିକାଶ ଅନ୍ୟପଟେ ଜଙ୍ଗଲ ସୁରକ୍ଷା ବନ ବିଭାଗ ପାଇଁ ଆଉ ଏକ ଆହ୍ବାନ।

Latest Posts

Don't Miss