୧୦ ବର୍ଷ ପରେ ପୁଣି ଫେରିଲା ଦଶନ୍ଧୀ ପୂଜା, ଅନ୍ୟ ଅଞ୍ଚଳ ଲୋକଙ୍କ ଗାଁ ପ୍ରବେଶ ମନା

ନନ୍ଦିଘୋଷ ବ୍ୟୁରୋ: ୧୦ ବର୍ଷ ପରେ ଗାଁକୁ ଫେରିଛି ଦଶନ୍ଧୀ ପୂଜା । ଅନେକ ନିୟମ ମାନି ପୂଜାର୍ଚ୍ଚନା କରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଟଲିଂ ଗାଁ ଲୋକେ । ପୂଜା ସମୟରେ ଗାଁକୁ ଅନ୍ୟ ଅଞ୍ଚଳର ଲୋକ ଯିବା ନିଷେଧ କରାଯାଇଛି । ଗାଁରୁ ରୋଗବ୍ୟାଧି ଦୂର, ବନ୍ୟଜନ୍ତୁଙ୍କ କବଳରୁ ଗ୍ରାମବାସୀଙ୍କୁ ବଞ୍ଚାଇବା ପାଇଁ କରାଯାଉଛି ପୂଜା ।

ଗାଁ ରାସ୍ତା ଶୂନଶାନ । ଆଉ ସମସ୍ତେ ଖାଲି ପାଦରେ ଚାଲୁଛନ୍ତି । କାହା ଘରେ ଜଳୁନି ଚୂଲି, କେହି ଚଲାଉ ନାହାଁନ୍ତି ସାଇକେଲ କିମ୍ବା ଗାଡି । କାହାରି ଘର ଓଳା ମଧ୍ୟ ଯାଉନି । ସବୁଠୁ ବଡ କଥା ହେଲା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବାଉଁଶ ବନ୍ଧା ଯାଇଛି । ଆଉ ପ୍ରବେଶ ପଥରେ ପଡିଛି ଝୋଟି ଚିତା । ଏଭଳି ବିଚିତ୍ର ଦୃଶ୍ଯ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ କୁଟଲିଂ ଗାଁରେ । ଚାଲିଛି ଦଶନ୍ଧୀ ପୂଜା । ଦୀର୍ଘ ୧୦ ବର୍ଷ ପରେ ପଡିଛି ଶୁଭଲଗ୍ନ, ଆଉ ଗାଁରେ ଚାଲିଛି ପୂଜାର୍ଚ୍ଚନା । ଆଉ ଏହି ଦଶନ୍ଧୀ ପୂଜା ଗାଁର ସୁରକ୍ଷା ଅର୍ଥାତ ରୋଗବ୍ୟାଧି, ବନ୍ୟ ଜୀବଜନ୍ତୁଙ୍କ କବଳରୁ ଗ୍ରାମ ଓ ଗ୍ରାମବାସୀଙ୍କୁ ବଞ୍ଚାଇବା ପାଇଁ କରାଯାଉଛି । ଯେଉଁଥିରେ କୁଟଲିଂ ରାଜସ୍ବ ଗ୍ରାମ ଅଧୀନରେ ଥିବା ୧୩ ଗୋଟି ଗାଁ ଲୋକେ ସାମିଲ ହୋଇଛନ୍ତି ।

ଦୁଇ ଦିନ ଧରି ଚାଲିଥିବା ଏହି ଦଶନ୍ଧି ପୂଜାରେ ଗ୍ରାମବାସୀ ଅନେକ ନିୟମରେ ବନ୍ଧା ଥାନ୍ତି । ଏହି ସମୟରେ ଗ୍ରାମକୁ ଅନ୍ୟ ଅଞ୍ଚଳର ଲୋକ କେହି ଆସିପାରିବେ ନାହିଁ କିମ୍ବା ଗ୍ରାମବାସୀ ମଧ୍ୟ ବାହାରକୁ ଯାଇପାରିବେ ନାହିଁ । ଯଦି କେହି ବାହାର ଲୋକ ଗାଁକୁ ଯାଏ ତେବେ ସେ ମଧ୍ଯ ନିୟମ ମାନିବାକୁ ବାଧ୍ଯ । ସବୁଠାରୁ ବଡ କଥା ପୂଜା ସ୍ଥଳୀକୁ ମହିଳାମାନେ ଯିବେ ନାହିଁ କିମ୍ବା ବାହାର ଲୋକ କେହି ପୂଜା ଚାଲିଥିବା ବେଳେ ଦେଖିପାରିବେ ନାହିଁ । ଦୁଇ ଦିନ ଭିତରେ ସମସ୍ତ ନୀତିକାନ୍ତି ଅନୁସାରେ ତିନି ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସରିଥାଏ ନିୟମ । ଆଉ ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ ଗାଁ ।