spot_img

Latest Posts

ଦୀର୍ଘ ସମୟର ହାଇ ଡ୍ରାମା ପରେ କାବୁ ହେଲା ବନ୍ଧୁକଧାରୀ ଦୁର୍ବୃତ୍ତ

ବଲାଙ୍ଗୀର: ପ୍ରେମ ସମ୍ପର୍କକୁ ନେଇ ଆତଙ୍କ ରାଜ। ଦୀର୍ଘ ସମୟର ହାଇ ଡ୍ରାମା ପରେ କାବୁ ହେଲା ବନ୍ଧୁକଧାରୀ ଦୁର୍ବୃତ୍ତ। ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ବନ୍ଧୁକଧାରୀ ଯୁବକ ବିକ୍ରମ ପଣ୍ଡାକୁ କାବୁ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ। କାବୁ କରିବା ସମୟରେ ବନ୍ଧୁକଧାରୀ ଦୁର୍ବୃତ୍ତ ଜଣକ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲା। ତେବେ ଫାୟାରିଂରେ କାହାରି କ୍ଷତି ହୋଇନଥିବା ସୂଚନା ମିଳିଛି। ଏହା ପୂର୍ବରୁ ବନ୍ଧକଙ୍କୁ ଉଦ୍ଧାର କରାଯାଇଥିଲା। ଶିଡ଼ି ପକାଇ ପୋଲିସ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲା। ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ତେବେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ସଂପୃକ୍ତ ଦୁର୍ବୃତ୍ତକୁ କାବୁ କରିବାକୁ ଅଭିଯାନ ଚଳାଇଥିଲା ପୋଲିସ।

ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ୫ ଜଣ ଯବାନ ଘର ଭିତରେ ପଶିଥିଲେ। ଉଦ୍ଧାର ହୋଇଥିବା ଦିବ୍ୟ ଲୋଚନ ହୋତାଙ୍କ କହିବା କଥା ହେଲା, ହଠାତ ଘର ଭିତରକୁ ପଶି ଭାଣିଜୀ କୁଆଡ଼େ ଗଲା ଡାକ ବୋଲି କହିଥିଲା ଦୁର୍ବୃତ୍ତ ବିକ୍ରମ ପଣ୍ଡା। ଭାଣିଜୀକୁ ନଡାକିଲେ ସମସ୍ତଙ୍କୁ ଗୁଳି କରି ମାରିଦେବାକୁ କହି ବନ୍ଧୁକ ବାହାର କରିଥିଲା। କୁହାଯାଉଛି, ଦିବ୍ୟଲୋଚନ ହୋତାଙ୍କ ଭାଣିଜୀ ବଲାଙ୍ଗୀର ମେଡିକାଲରେ କିରାଣି ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ତାଙ୍କ ସହ ବିକ୍ରମର ପ୍ରେମ ସମ୍ପର୍କ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ଏକତରଫା ପ୍ରେମ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଶେଷରେ ଘର ଭିତରୁ ବିକ୍ରମକୁ ପୋଲିସ କାବୁ କରିଥିବା ବେଳେ, ଘଟଣାର ତଦନ୍ତ ଜାରି ରଖିଛି।

Latest Posts

Don't Miss