ପ୍ରଦୀପଙ୍କ ବାଚାଳାମି ଚରମସୀମାରେ ପହଞ୍ଚିଛି

ଭୁବନେଶ୍ବର: ଜନବିରୋଧୀ ନେତା ପ୍ରଦୀପଙ୍କ ବାଚାଳାମି ଚରମସୀମାରେ ପହଞ୍ଚିଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଚାର୍ଜଫ୍ରେମ କରିବା ପରେ ପ୍ରଦୀପଙ୍କ ବୁଦ୍ଧି ହଜିଯାଇଛି । ସେ କେତେବେଳେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଜାଣିପାରୁନାହାଁନ୍ତି କହି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛି ଗଞ୍ଜାମ ବିଜେଡି ।

ଏହାସହ ପ୍ରଦୀପ ଗଣମାଧ୍ୟମରେ ଦେଇଥିବା ବିବୃତିର ପ୍ରତିକ୍ରିୟା ରଖିଛି ଗଞ୍ଜାମ ଜିଲ୍ଲା ବିଜେଡି । ତାଙ୍କ ମୁଣ୍ଡ ଠିକ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକ । ଲୋକ ପ୍ରତିନିଧି ହୋଇ ଲୋକଙ୍କୁ ଠକିଛନ୍ତି । ଚାକିରି ଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ବିଜେଡିରୁ ତଡା ଖାଇବା ପରେ ଦଳ ବିରୋଧରେ ପାଗଳଙ୍କ ଭଳି ପ୍ରଳାପ କରୁଛନ୍ତି । ସେ ଭଲ ଭାବରେ ଜାଣିଛନ୍ତି ସେ ଦୋଷ କରିଛନ୍ତି । ତଥ୍ଯ ଓ ପ୍ରମାଣ ଅଛି । କଠିନ ଦଣ୍ଡ ପାଇବା ଭୟରେ ସେ ଏଭଳି ଆଚରଣ କରୁଛନ୍ତି । ଏବେ ଏକ ନିର୍ଦ୍ଦିଷ୍ଟ ଦଳକୁ ଯିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ସେ ଦଳ ଏଭଳି ଲୋକଙ୍କୁ ଗ୍ରହଣ କରୁନାହିଁ । ଏଭଳି ବିବୃତିକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।