spot_img

Latest Posts

ବଜେଟ ପରେ ଝଟକା: ବଢ଼ିଲା ପେଟ୍ରୋଲ ଡିଜେଲ ଓ ଏଲପିଜି ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ବଜେଟର ଦୁଇଦିନ ପରେ ଦେଶରେ ବଢ଼ିଛି ପେଟ୍ରୋଲ ଡିଜେଲ ଦର। ଗୁରୁବାର ତେଲ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି। ଯାହାପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୬ଟଙ୍କା ୬୫ପଇସା ହୋଇଛି। ସେହିଭଳି ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି।

ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯିବ। ପେଟ୍ରୋଲ ଉପରେ ଲିଟର ପିଛା ୨.୫୦ ଟଙ୍କାର କୃଷି ସେସ୍‌ ଲାଗିବାକୁ ଥିବା ବେଳେ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କାର ସେସ୍‌ ଲଗାଯିବ। ତୈଳ ଦର ଉପରେ କୃଷି ସେସ୍‌ ଲାଗୁ କରାଯାଇଥିଲେ ହେଁ ସରକାର ମୂଳ ଅବକାରୀ ଶୁଳ୍କ ଓ ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବାଦ ଅର୍ଥକୁ ହ୍ରାସ କରିଛନ୍ତି। ତେଣୁ ଲୋକଙ୍କ ଉପରେ କୃଷି ସେସ୍‌ ବାବାଦ ଅର୍ଥ ଅଧିକ ପଡ଼ିବ ନାହିଁ ବୋଲି ସେ କହିଥିଲେ।

ଅନ୍ୟପଟେ, ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ ଗ୍ରାହକଙ୍କୁ ୧୪ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଯାହାପରେ ସିଲିଣ୍ଡର ପିଛା ମୂଲ୍ୟ ଦିଲ୍ଲୀରେ ୭୧୯ ଟଙ୍କା, କୋଲକାତାରେ ୭୪୫ଟଙ୍କା ୫୦ ପଇସା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କା ହୋଇଯାଇଛି।

Latest Posts

Don't Miss