ଚୀନରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତରେ ସତର୍କତା

1 min read

ନୂଆଦିଲ୍ଲୀ: ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବୋଇଂ ୭୩୭ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତରେ ସତର୍କତା । ଦେଶରେ ଚାଲୁଥିବା ସମସ୍ତ ବୋଇଂ-୭୩୭ ବିମାନର ସର୍ଭେଲାନ୍ସକୁ ବୃଦ୍ଧି କରାଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି, ବିମାନ ନିରାପତ୍ତା ଉପରେ ଡିଜିସିଏ ସର୍ବାଧିକ ଗୁରୁତ୍ୱ ଦେଉଛି ।

ଚୀନରେ ଘଟିଥିବା ଦୁର୍ଘଟଣାକୁ ବିଶ୍ଳେଷଣ କରାଯାଉଛି । ଏହାସହ ଭାରତରେ ଚଳାଚଳ କରୁଥିବା ବୋଇଂ ଉପରେ ସର୍ଭେଲାନ୍ସକୁ ବୃଦ୍ଧି କରାଯାଇଛି । ଏନେଇ ବିଭିନ୍ନ ଟିମ୍ ମୁତୟନ କରାଯାଉଛି । ଦେଶର ଚାରିଟି ଏୟାରଲାଇନ୍ସ ଅର୍ଥାତ୍ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସ ଜେଟ୍ ଓ ଭିସ୍ତାରାରେ ବୋଇଂ ୭୩୭ ସେବା ଯୋଗାଉଛନ୍ତି ।

ସେପଟେ ଗତକାଲି ଚୀନ ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ଫ୍ଲାଇଟ MU-5735ର କ୍ରାସ ଘଟଣାରେ କେହି ଜୀବିତ ନଥିବା କୁହାଯାଇଛି । ୧୩୨ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ବିମାନଟି କୁନମିଙ୍ଗରୁ ଗୁଆଙ୍ଗଝୋ ଯିବା ବାଟରେ ଏକ ପାହାଡ଼ରେ ଧକ୍କା ଖାଇ ଜଳିଯାଇଥିଲା । ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।