ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୪ ଶିଶୁ ଗୁରୁତର

Mid Day Meal

ନୀଳଗିରି: ନୀଳଗିରି ବ୍ଲକ୍‌ ଜଡିବାଲି ଅଙ୍ଗନୱାଡ଼ି ସେଣ୍ଟରରେ ଅଭାବନୀୟ ଘଟଣା । ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୪ ଶିଶୁ ଅସୁସ୍ଥ । ଖାଦ୍ୟ ଖାଇବା ପରେ ଶିଶୁମାନଙ୍କ ତଣ୍ଟି କୁଣ୍ଡେଇ ହୋଇଥିଲା । ସେମାନେ ଅସୁସ୍ଥତା ଅନୁଭବ କରିଥିଲେ । ତେଣୁ ସମସ୍ତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

ବୁଧବାର ଆଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ୪ଜଣ ପିଲା ଆସିଥିଲେ । ସେମାନଙ୍କ ପାଇଁ ହୋଇଥିବା ରନ୍ଧା ଖାଦ୍ୟରେ ଝିଟିପିଟି ପଡ଼ିଥିଲା । ଏଭଳି ଘଟଣା ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାଙ୍କ ଅବହେଳା ଯୋଗୁଁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ରାଜ୍ୟରେ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ମଧ୍ୟାହ୍ନ ଭୋଜନ ଖାଇ ବୌଦ୍ଧରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ଗତବର୍ଷ ବୌଦ୍ଧ ଜିଲ୍ଲା ଲୁକାପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିଲା । ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ କିଛି ଛାତ୍ରଛାତ୍ରୀଙ୍କ ପ୍ରଥମେ ପେଟ କାଟିବା ସହ ବାନ୍ତି ହୋଇଥିଲା । ପରେ ପିଲାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ସ୍କୁଲର ଶିକ୍ଷକ, ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ମନମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ । ପରେ ଅବସ୍ଥା ଅସମ୍ଭାଳ ହେବାରୁ ୨୨ଜଣ ଛାତ୍ରଛାତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେହିଦିନ ମଧ୍ୟାହ୍ନ ଭୋଜନରେ ଭାତ ଓ ସୋୟାବିନ ତରକାରି ହୋଇଥିଲା । ପୋକଡ଼ା ସୋୟାବିନ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଥିଲା ।

ତେବେ ରାଜ୍ୟରେ ବାରମ୍ବାର ମଧ୍ୟାହ୍ନ ଭୋଜନରେ ଏଭଳି ଅନିୟମିତତା ହେଉଥିବା ଖବର ସାମ୍ନାକୁ ଆସିଛି । କେବଳ ବୌଦ୍ଧ କିମ୍ବା ନୀଳଗିରି ନୁହେଁ ରାଜ୍ୟର ପ୍ରାୟ ଜିଲ୍ଲାରେ ସ୍କୁଲ କିମ୍ବା ଅଙ୍ଗନଓ୍ୱାଡ଼ି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଉଥିବା ଦେଖାଯାଇଛି । ସରକାର ପିଲାଙ୍କ ପାଠ ପଢ଼ା ଓ ସ୍କୁଲ ପ୍ରତି ଯେତେ ଗୁରୁତ୍ୱ ଦେଲେ ମଧ୍ୟ କିଛି ଅଧିକାରୀଙ୍କ ଖାମ୍‌ଖିଆଲ ମନୋଭାବ ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି ।

Leave a Reply