ଭେନେଜୁଏଲା ରାଷ୍ଟ୍ରପତି ଗିରଫ: ଏବେ ଟାର୍ଗେଟରେ କ୍ୟୁବା, ମେକ୍ସିକୋ ଓ କଲମ୍ବିଆ
ନନ୍ଦିଘୋଷ ବ୍ୟୁରୋ: ରାତାରାତି ଭେନେଜୁଏଲାରେ ବଦଳିଗଲା ଚିତ୍ର । ଅପରେସନ ଆବସଲ୍ୟୁଟ ରିଜଲଭ ପରେ ଆମେରିକା କବଜାରେ ସମାଜବାଦୀ ଶାସକ ନିକୋଲାସ ମାଦୁରୋ । ଆସନ୍ତାକାଲି ମାନହଟ୍ଟନ ଫେଡରାଲ କୋର୍ଟରେ ହାଜର ହେବେ ମାଦୁରୋ । ଆକ୍ରମଣକୁ ରୁଷ, ଚୀନ, କ୍ୟୁବା, ଉତ୍ତର କୋରିଆ ନିନ୍ଦା କରିଥିବାବେଳେ ସମର୍ଥନ କରିଛି ବ୍ରିଟେନ । ଶାନ୍ତିପୂର୍ଣ୍ଣ ସମାଧାନ ଚାହିଁଛି ଭାରତ । ସେପଟେ ଭେନେଜୁଏଲାର ବିପୁଳ ତୈଳ ସମ୍ପଦ ଉପରେ ଅଧିକାର ଜାହିର କରିଛନ୍ତି ଟ୍ରମ୍ପ ।
ନ୍ୟୁୟର୍କ ଅଟକ କେନ୍ଦ୍ରରେ ବନ୍ଦୀ ଭେନେଜୁଏଲା ଶାସକ ନିକୋଲାସ ମାଦୁରୋ । ସଫଳ ହେଲା ଅପରେସନ ଆବସଲ୍ୟୁଟ ରିଜଲଭ । ଆମେରିକା ହେପାଜତରେ ରାଷ୍ଟ୍ରପତି ନିକୋଲାସ ମାଦୁରୋସ, ପତ୍ନୀ ସିଲିଆ ଫ୍ଲୋରେସ, ପୁଅ ଓ ଅନ୍ୟ ୩ ଜଣ । ନାର୍କୋ ଟେରରିଜିମ, କୋକେନ ଚାଲାଣ, ଆମେରିକୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି, ମେସିନ ଗନ ରଖିବା, ବିଧ୍ବଂସକାରୀ ଅସ୍ତ୍ର ରଖିବା ଆଦି ଅଭିଯୋଗ କରାଯାଇଛି ମାଦୁରୋଙ୍କ ବିରୋଧରେ । ସୋମବାର ମାନହଟ୍ଟନ ଫେଡରାଲ କୋର୍ଟରେ ହାଜର ହୋଇ ନିଜର ଉତ୍ତର ରଖିବେ ମାଦୁରୋ । ତେଣେ ଡେଲସି ରଡ୍ରିଗଜ ହୋଇଛନ୍ତି କାମଚଳା ରାଷ୍ଟ୍ରପତି । ଆମେରିକୀୟ ହମଲାରେ ଯାଇଛି ୪୦ ନାଗରିକଙ୍କ ପ୍ରାଣ । ଦେଶର ବିଭିନ୍ନ ଭାଗରେ ପାୱାର କଟ ହୋଇଥିବାବେଳେ ଅନେକ ଭିତ୍ତିଭୂମି ନଷ୍ଟ ହୋଇଛି । ସେପଟେ ଭେନେଜୁଏଲାକୁ ଆମେରିକା ଅସ୍ଥାୟୀ ଭାବେ ପରିଚାଳନା କରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଭେନେଜୁଏଲା ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ରୁଷ, ଚୀନ, କ୍ୟୁବା, ଉତ୍ତର କୋରିଆ । ଆକ୍ରମଣକୁ ସମର୍ଥନ କରିଛି ବ୍ରିଟେନ ।
ପୂର୍ବରୁ ଜର୍ଜ ଡବ୍ଲୁ ବୁଶଙ୍କ ଶାସନ କାଳରେ ପାନାମାର ଶାସକ ଜେନେରାଲ ମାନୁଏଲ ନରିଗାଙ୍କୁ ୧୯୯୦ରେ ହଟାଇଥିଲା ଆମେରିକା । ଏବେ ଭେନେଜୁଏଲାର ଶାସକ ନିକୋଲାସ ମାଦୁରୋଙ୍କ ପଡ଼ିଛି ପାଳି । ସେପଟେ କ୍ୟୁବା, ମେକ୍ସିକୋ ଓ କଲମ୍ବିଆ ବିରୋଧରେ ବି ଆମେରିକା ଆଣିଛି ସମାନ ଅଭିଯୋଗ l ଭେନେଜୁଏଲା ପରେ ଏହି ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରାଯିବା ଆଶଙ୍କା ରହିଛି । ଦୀର୍ଘ ୨୫ ବର୍ଷ ଧରି ଭେନେଜୁଏଲାର ସମାଜବାଦୀ ଶାସନକୁ ହଟାଇବା ଲାଗି ଆମେରିକା କରି ଆସିଥିବା ଯୋଜନା ଏବେ ସଫଳ ହୋଇଛି ।
ଭେନେଜୁଏଲାବାସୀଙ୍କ ନିରାପତ୍ତା କାମନା କରିଛି ଭାରତ । ତିକ୍ତତାର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆହ୍ବାନ ଦେଇଛି ଭାରତ । ସେହିପରି ଜରୁରୀ ନଥିଲେ ଘରୁ ପଦାକୁ ନବାହାରିବାକୁ ଭାରତୀୟଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ । ଭେନେଜୁଏଲା ଉପରେ ଆକ୍ରମଣକୁ ବିରୋଧ କରି ଦେଶର ବିଭିନ୍ନ ଭାଗରେ ବାମପନ୍ଥୀମାନେ କରିଛନ୍ତି ବିକ୍ଷୋଭ । ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ କହିଛନ୍ତି ଯଦି ମାଦୁରୋଙ୍କୁ ଟ୍ରମ୍ପ ତାଙ୍କ ଦେଶକୁ ଧରି ନେଇ ପାରିଲେ ତେବେ ୨୬/୧୧ ମୁମ୍ବାଇ ଟେରର ଆଟାକ ମାଷ୍ଟର ମାଇଣ୍ଡଙ୍କୁ ଭାରତ ପାକିସ୍ତାନରୁ ଉଠାଇ ଆଣୁ ।
ଭେନେଜୁଏଲାରେ ବିଶ୍ବର ସର୍ବାଧିକ ହେଭିଡ୍ୟୁଟି ତୈଳ ମହଜୁଦ ଥିବାରୁ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା ଆମେରିକା l ଏଥିରେ ସଫଳ ହେବା ପରେ ଦେଶର ବିପୁଳ ତୈଳ ସମ୍ପଦର ମାଲିକ ହୋଇଛି ଆମେରିକା ।

