ଗାଁରୁ ସହର ଝାଡ଼ାବାନ୍ତି ବ୍ୟାପିବା ପରେ ଏବେ ଶିକ୍ଷାନୁଷ୍ଠାନ ବି ଏଥିରୁ ବାଦ ପଡିନି

ଭୁବନେଶ୍ବର: ରାଜ୍ୟରେ ମାଡି ଚାଲିଛି ଝାଡ଼ାବାନ୍ତି। ଗାଁରୁ ସହର ବ୍ୟାପିବା ପରେ ଏବେ ଶିକ୍ଷାନୁଷ୍ଠାନ ବି ଏଥିରୁ ବାଦ ପଡିନି। ଯାହାକୁ ନେଇ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିରୋଧୀ। ପଞ୍ଚଦଶ ଅର୍ଥ କମିଶନ ଅର୍ଥ ଦେଲା, ଜଳ ଜୀବନ ମିଶନରେ ଅର୍ଥ ଆସିଲା। ତେଣୁ ସବୁ ପରିବାର ଟ୍ୟାପ ଜଳ ପାଇବା କଥା।କିନ୍ତୁ ବର୍ଷେରୁ ଅଧିକ ସମୟ ସରକାରଙ୍କୁ ବିତିଲା ହେଲେ ଲୋକେ ବିଶୁଦ୍ଧ ପାଣି ଟିକିଏ ପାଇଲେନି। ଜଳ ଜୀବନ ମିଶନ କରୁଛି କଣ ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଏଥିଲାଗି ଯୋଜନା କରିବା ଦରକାର। କଣାସ ପ୍ରସଙ୍ଗରୁ କିଛି ଶିଖିଲେନି ସରକାର। ସଚେତନତା କି ଜଳ ଯୋଗାଣ ଦୃଷ୍ଟିରୁ କେଉଁଥିରେ ବି ସଫଳ ହେଲେନି। ଯାହା ଫଳରେ ଲୋକେ ମଲେ। ଯେତେ ଲୋକଙ୍କ ମୃତ୍ୟୁ ହେବ ସେଥିଲାଗି ସରକାର ଦାୟୀ ରହିବେ। ଏତେ ସବୁ ପରେ ବି ସରକାରଙ୍କ ନିଦ ଭାଙ୍ଗୁନି ବୋଲି ଅଭିଯୋଗ ହୋଇଛି ।

ସେପଟେ କେବଳ ଦୂଷିତ ଜଳ ନୁହେଁ ଖାଦ୍ୟ ଯୋଗୁଁ ମଧ୍ୟ ରାଜ୍ୟରେ ହଇଜା ବ୍ୟାପୁଛି। ଅର୍ଥ ଲାଳସାରେ ସରକାର ମନଇଚ୍ଛା ଫୁଡ଼ ଲାଇସେନ୍ସ ଦେଉଛନ୍ତି। ଏଥିପାଇଁ ସରକାର ହିଁ ଦାୟୀ ବୋଲି ଅଭିଯୋଗ ଆଣିଛି ବ୍ୟବସାୟୀ ମହାସଂଘ। ଯେଉଁ ଅଧିକାରୀ ଲାଇସେନ୍ସ ଦେଉଛନ୍ତି ସେମାନେ କରୁଛନ୍ତି କଣ ବୋଲି ପ୍ରଶ୍ନ କରିଛି ମହାସଂଘ। କେବଳ ସରକାର ଟଙ୍କା ଆଦାୟରେ ମାତିଛନ୍ତି। ଖାଦ୍ୟପେୟର ମାନ ଯାଞ୍ଚ ହେଉନି। ସବୁକ୍ଷେତ୍ରରେ ରାଜ୍ୟର ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଅସୁରକ୍ଷିତ ଥିବା ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ। କେତେବେଳେ ଯୌନ ଶୋଷଣ ତ ଆଉ କେତେବେଳେ ଦୁଷ୍କର୍ମ ଭଳି ଘଟଣା ଘଟୁଛି। ସରକାର ଉପରେ ଭରସା ନକରି ନିଜ ସୁରକ୍ଷା ନିଜେ ନିଅ ବୋଲି କହିଛି ମଞ୍ଚ। ସରକାରକୁ ଯେତେ ଶୀଘ୍ର ସମ୍ଭବ କ୍ଷମତାରୁ କାଢ଼ିବା ଆବଶ୍ୟକ । ହଇଜା ଶବ୍ଦ ଅନେକ ଦଶନ୍ଧୀ ଧରି ଲୋପ ପାଇଥିବାବେଳେ ଏବେ ରାଜ୍ୟବ୍ୟାପି ସବୁଆଡେ ହଇଜା ବ୍ୟାପିବା ସହ ଲୋକଙ୍କ ଜୀବନ ନେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।