ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ

ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ। ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସହ ଭାଙ୍ଗିଛନ୍ତି ଦୋକାନ ବଜାର। ଏହା ସହ ଟେକାପଥର ବି ମାଡ଼ ହୋଇଛି । ଘଟଣାସ୍ଥଳରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉତ୍ତେଜନା ପରେ ବିଭିନ୍ନ ଥାନାର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ। ଉତ୍ତେଜନା ଯୋଗୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ସମାନ ଘଟଣାରେ ଗତକାଲି ଗୋଷ୍ଠୀ ସଂଘର୍ଷରେ ଦୁଇ ଗୁରୁତର ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ କୋଟପଲା, ଓସ୍ତ ପୁର ଗାଁରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗି ରହିଛି । ଗତ କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଗ୍ରାମର ବଜାରରେ ଓସ୍ତପୁର ନାମ ଫଳକ ରଖିବା ପାଇଁ ଦାବି କରିଥିଲେ ।
ପୂର୍ବରୁ ଲାଗିଥିବା ଓସ୍ତପୁର ନାମ ଫଳକକୁ କୋଟପଲାର କିଛି ବ୍ୟକ୍ତି ଲିଭାଇ ଦେଇଥିବା ଅଭିଯୋଗ କରିଥିଲେ । ସେଇଦିନ ଠାରୁ ବିବାଦ ଉଗ୍ରରୂପ ନେଇଥିଲା। ଗତକାଲି ନିର୍ମାଣଧିନ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ଗ୍ରାମର ଦୁଇଟି ନାମ ଫଳକ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ପୋତିବା ପାଇଁ ଉଦ୍ୟମ କରାଯାଇଥିଲା । ଏହି ସମୟରେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଗାଁର ମହିଳା ମାନେ ରାସ୍ତାରେ ପୋଲିସ, ପ୍ରଶାସନ ଉପସ୍ଥିତିରେ ପରସ୍ପରକୁ ଆକ୍ରମଣ , ପ୍ରତି ଆକ୍ରମଣ କରିଥିଲେ। ଆକ୍ରମଣରେ କିଛି ଘର ଦ୍ବାର, ଦୋକାନ ବଜାର ଭଙ୍ଗାରୁଜା ହେବା ସହ ଦୁଇଜଣ ଆହତ ହୋଇଥିଲେ । ଖବର ପାଇ ଖୋର୍ଦ୍ଧା ଏସ୍ଡ଼ିପିଓ , ବେଗୁନିଆ ଓ ବାଘମାରି ଥାନା ଅଧିକାରୀ ଏକ ପ୍ଲାର୍ଟୁନ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଆଜି ପୁଣି ଘଟଣାକୁ ନେଇ ଆଇନଶୃଙ୍ଖଳା ବିଗିଡିଥିବା ଅଭିଯୋଗ ହୋଇଛି ।