ଆନ୍ଦୋଳନକାରୀଙ୍କୁ ଅଗ୍ନିପଥରେ ମିଳିବନି ଏଣ୍ଟ୍ରି, ଚେତାଇ ଦେଲା ସେନା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ସେନାରେ ସାମିଲ ହେବାକୁ ଚାହୁଁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଚେତାବନୀ ଦେଇଛି ଭାରତୀୟ ସେନା  । ଆନ୍ଦୋଳନ କି ବିରୋଧ ପ୍ରଦର୍ଶନରେ ସାମିଲ ଥିଲେ ଅଗ୍ନିପଥରେ ମିଳିବନି ଏଣ୍ଟ୍ରି । ଭାରତୀୟ ସେନା ଶୃଙ୍ଖଳାକୁ ପ୍ରାଥମିକତା ଦେଉଥିବାରୁ ବିକ୍ଷୋଭକାରୀଙ୍କୁ ଅଗ୍ନିପଥରେ ଦେବନି ସୁଯୋଗ । ଏଣୁ ପ୍ରତ୍ୟେକ ଆଶାୟୀ ପୋଲିସ ଭେରିଫିକେସନ ପ୍ରମାଣପତ୍ର ପରେ ହିଁ ଅଗ୍ନିପଥ ପାଇଁ ପରୀକ୍ଷା ଦେଇପାରିବେ ।

 

ଯଦି କୌଣସି ଆଶାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥାଏ ତେବେ ତାଙ୍କୁ ସେନାରେ ଭର୍ତ୍ତି ପାଇଁ ସୁଯୋଗ ମିଳିବ ନାହିଁ । ଏନେଇ ଆଜି ଚେତାଇ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ଅତିରିକ୍ତ ସେକ୍ରେଟରୀ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପାଣ୍ଡେ । ଆଗାମୀ ଡିସେମ୍ବର ସୁଦ୍ଧା ୨୫ ହଜାର ଅଗ୍ନିବୀର ପ୍ରଥମ ପର୍ଯ୍ୟାୟରେ ସେନାରେ ଭର୍ତ୍ତି ହେବେ ।ଏହାପରେ ୨୦୨୩ ସୁଦ୍ଧା ପାଖାପାଖି ୪୦ ହଜାର ଅଗ୍ନିବୀରଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ସେହିପରି ଅଗ୍ନିପଥ ଯୋଜନାରେ ଭାରତୀୟ ନୌସେନାରେ ମହିଳାଙ୍କୁ ମିଳିବ ସୁଯୋଗ । ବର୍ତ୍ତମାନ ନୌସେନାରେ ୩୦ ମହିଳା ଅଧିକାରୀ ବିଭିନ୍ନ ଜାହାଜରେ ମୁତୟନ ଅଛନ୍ତି  । ଏଣୁ ଆହୁରି ଯୁବତୀଙ୍କୁ ନୌସେନାରେ ସୁଯୋଗ ଦେବାକୁ କହିଛନ୍ତି ଭାଇସ ଆଡମରାଲ ଦିନେଶ ତ୍ରିପାଠୀ ।

 

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିଦ୍ରୋହ ନିଆଁ ବ୍ୟାପିଥିବାବେଳେ ଅନେକ ଯୁବପୀଢୀ ଏଥିରେ ସାମିଲ ହୋଇଛନ୍ତି  । ଅଧିକାଂଶ ଟ୍ରେନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବାବେଳେ ସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।