ସହିଦ କ୍ୟାପଟେନ୍ ଶୁଭମ ଗୁପ୍ତାଙ୍କୁ ନେଇ ଦୁଃଖଦ କାହାଣୀ କହିଲେ ଭାଇ, ଜନ୍ମଦିନରେ…

1 min read

ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସହିଦ କ୍ୟାପଟେନ ଶୁଭମ ଗୁପ୍ତାଙ୍କ ପାର୍ଥିବ ଶରୀର ଗୁରୁବାର ଜନ୍ମମାଟିରେ ପହଞ୍ଚିବ। ତାଙ୍କ ସହିଦ ଖବର ଶୁଣିବା ପରେ ସାରା ଦେଶରେ ଖେଳି ଯାଇଛି ଶୋକର ଛାୟା । ପରିବାର ଲୋକେ ସହିଦ ପୁଅକୁ ଝୁରି ହେଉଥିବାବେଳେ ଆଖିରୁ ଶୁଖୁନି ଲୁହ। ନିତା ବସନ୍ତ କହିଛନ୍ତି କି, ଦୁଇଦିନ ତଳେ ପୁଅ ସହ କଥା ହୋଇଥିଲେ। ସହିଦ ଶୁଭମ କହିଥିଲେ କି, ମୋର ଗୋଟେ କାମ ବାକି ଅଛି, ସରିବା ପରେ ମୁଁ ଛୁଟିରେ ଘରକୁ ଯିବି। କିନ୍ତୁ ଏମିତି ଯେ ଘଟଣା ଘଟିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ। ସହିଦ ଶୁଭମଙ୍କ ଭାଇ ତାଙ୍କ ସ୍ମୃତିକୁ ବଖାଣି କୋହଭରା କଣ୍ଠରେ ନିକଟରେ ପାଳିଥିବା ତାଙ୍କ ଜନ୍ମଦିନ କଥା କହିଛନ୍ତି। ସବୁ ଭାଇମାନେ ସହିଦ ଶୁଭମଙ୍କୁ କାନ୍ଧରେ ବସାଇ ’ଜିଓ ହଜାର ସାଲ’ ଗୀତ ବଜାଇ ଧୁମ ନାଚିଥିଲେ। ମାତ୍ର ଏବେ ତାଙ୍କୁ ଏମିତି କାନ୍ଧ ଦେବାକୁ ପଡ଼ିବ ଭାବିଲା ବେଳକୁ ଆକାଶ ଛିଣ୍ଡି ପଡ଼ିବା ଭଳି ମନେ ହେଉଛି।

ଏହାସହ ସହିଦଙ୍କ ଭାଇ କହିଛନ୍ତି କି, ୯ ଅକ୍ଟୋବରରେ ଶୁଭମଙ୍କ ଜନ୍ମଦିନ ଥିଲା । ସେ ଛୁଟିରେ ଘରେ ରହିଥିଲା। ଆମ ଘରେ ବେଶ ଖୁସି ମାହୋଲ ରହିଥିଲା । ପରିବାର ଲୋକଙ୍କ ସହ ଅନ୍ୟ ବନ୍ଧୁମାନେ ମଧ୍ୟ ଘରକୁ ଆସିଥିବାବେଳେ ହୋଟେଲରେ ପାର୍ଟି କରାଯାଇଥିଲା । ତାଙ୍କୁ କାନ୍ଧରେ ବସାଇ ଖୁସି ମନାଇଥିଲୁ । ଆଜି ମଧ୍ୟ ସେଦିନର ଛବି ଆଖି ଆଗରେ ଆଙ୍କି ହୋଇ ଯାଉଛି। ମାତ୍ର ୨ଦିନ ପରେ ସେ ଘରକୁ ଆସିବ ବୋଲି କହିଥିଲା । କିନ୍ତୁ କିଛି କାମ ବାକି ରହିଥିବାରୁ ସାରିବ ପରେ ଆସିବ ବୋଲି କହିଥିଲା । ଆମେ ବେଶ ଖୁସିଥିଲୁ। କିନ୍ତୁ ଏହି ଖୁସିରେ ଯେମିତି କାହାର ନଜର ଲାଗିଗଲା। ଯେତେବେଳେ ଫୋନ ଆସିଥିଲା କି, ସେ ସହିଦ ହୋଇଛନ୍ତି ପାଦ ତଳୁ ମାଟି ଖସିଗଲା ଭଳି ମନେ ହୋଇଥିଲା ।