ଦୁର୍ଘଟଣାଗ୍ରସ୍ତ ପ୍ଲେନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

1 min read

ନନ୍ଦିଘୋଷ ବ୍ୟୁରୋ :  ଆଜି ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଅହମ୍ମଦାବାଦରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ। ବିଜୟ ରୂପାନୀ ସିଟ୍ ନମ୍ୱର 2-D ରେ ବସିଥିଲେ। ତାଙ୍କ ଟିକେଟ୍ ନିଶ୍ଚିତ ମଧ୍ୟ ହୋଇଥିଲା ।

ଏହି ବିମାନ ଦୁର୍ଘଟଣାରେ ବିଜୟ ରୂପାନୀ ବଞ୍ଚିଛନ୍ତି କି ନାହିଁ ସେ ବିଷୟରେ କୌଣସି ସରକାରୀ ବିବୃତ୍ତି ଏଯାଏଁ ଆସିନାହିଁ। ସୂତ୍ର ଅନୁସାରେ ବିଜୟ ରୂପାନୀଙ୍କ ପତ୍ନୀ ୬ ମାସ ଧରି ବ୍ରିଟେନରେ ଅଛନ୍ତି। ବିଜୟ ରୂପାନୀ ତାଙ୍କୁ ଆଣିବା ପାଇଁ ଲଣ୍ଡନ ଯାଉଥିଲେ। ହେଲେ ଅହମ୍ମଦାବାଦରେ ଉଡ଼ାଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏପର୍ଯ୍ୟନ୍ତ ତାଙ୍କ ବିଷୟରେ ଆଉ କୌଣସି ସୂଚନା ମିଳିନାହିଁ।

୨୪୨ ଜଣ ଯାତ୍ରୀଙ୍କୁ ନେଇ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନଟି ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଟି ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳ ନିକଟରେ ଘଟିଥିଲ। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ଘଟଣାସ୍ଥଳରୁ ଆକାଶରେ କଳା ଧୂଆଁ ଉଠିବା ଦେଖାଯାଇଥିଲା। ଏହି କାରଣରୁ ବିମାନ ଦୁର୍ଘଟଣାରେ ଭାରୀ କ୍ଷତି ହେବାର ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।