ଭୁବନେଶ୍ବର: ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆକ୍ସନ ମୁଡରେ ଏଆଇସିସି । ୫ ରାଜ୍ୟର ସଭାପତିଙ୍କଚ ଇସ୍ତଫା ଦେବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବ ପିସିସି ସଭାପତି ନବଜ୍ୟାତି ସିଂ ସିଦ୍ଧୁ ଇସ୍ତଫା ଦେଇ ସାରିଛନ୍ତି । ତେବେ ଏହି କ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଏଆଇସିସିର ଚିଠି ଆସିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି, ବିଶେଷ କରି କଂଗ୍ରେସରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଉ ଚର୍ଚ୍ଚାଟି ହେଉଛି, ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ଛାଡୁଛନ୍ତି ।

ଚିଠି ଆସିଥିବା ନେଇ ନିଜେ ନିରଞ୍ଜନ ସୂଚନା ଦେଇଛନ୍ତି । ହାଇକମାଣ୍ଡଙ୍କ ପାଖରୁ ଚିଠି ଆସିଛି ବୋଲି ସେ କହିଛନ୍ତି । ତେବେ ଏହି ଚିଠିରେ କ’ଣ ଉଲ୍ଲେଖ ରହିଛି ତାହା ସେ ସ୍ପଷ୍ଟ କରିନାହାନ୍ତି । ନିରଞ୍ଜନଙ୍କ ପାଖକୁ ଆସିଥିବା ଚିଠିରେ କ’ଣ ଲେଖା ଯାଇଛି ? ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି କି ଆଉ କିଛି ନିର୍ଦ୍ଦେଶ ରହିଛି, ଆଗାମୀ ଦିନରେ ନିରଞ୍ଜନର ପଦକ୍ଷେପରୁ ଜଣାପଡିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ନିରଞ୍ଜନଙ୍କ ପାଖକୁ ଆସିଥିବା ଚିଠିରେ କ’ଣ ଉଲ୍ଲେଖ ରହିଛି ତାହା ତ ଆଗକୁ ଜଣାପଡିବ । ହେଲେ ୫ ରାଜ୍ୟରେ ପରାଜୟ ପରେ କଂଗ୍ରେସର ନବକଳେବର ହେବାର ସମ୍ଭାବନା ଦେଖା ଦେଇଛି । କାର୍ଯ୍ୟକାରୀଣୀ ବୈଠକରେ ସୋନିଆ ଗାନ୍ଧି ପୂର୍ବ ପରି ଅଧ୍ୟକ୍ଷା ପଦରେ ରହିଛନ୍ତି । ଏହାପରେ ପ୍ରଥମ ପଦକ୍ଷେପ ସ୍ବରୂପ ହାରିଥିବା ୫ ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାପରେ ହାଇକମାଣ୍ଡ କି ପଦକ୍ଷେପ ନେଉଛନ୍ତି, କାହା ପାଖକୁ କେଉଁ ପ୍ରକାର ଚିଠି ଆସୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।