ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ

ନୈନିତାଲ: ଉତ୍ତରାଖଣ୍ଡ ଜଙ୍ଗଲରେ ବେକାବୁ ନିଆଁ ଲିଭାଇବା ଦାୟିତ୍ବ ନେଇଛି ବାୟୁସେନା  । ନୈନିତାଲର ଲଡିଆକାଣ୍ଟା ନିଆଁ ଲିଭାଇବା ପାଇଁ ବାୟୁସେନା ନିୟୋଜିତ ହୋଇଛି  । ବନ ବିଭାଗ ଓ ସେନାର ପ୍ରୟାସ ପରେ ଖୋଦ ବାୟୁସେନା ଅଣ୍ଟା ଭିଡିଛି  ।

ନିଆଁ ଲିଭାଇବା ପାଇଁ ସକାଳ ୭ଟାରେ ଦୁଇ ହେଲିକପ୍ଟର ଭୀମତାଲ ହ୍ରଦରୁ ପାଣି ଉଠାଇ ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଛନ୍ତି  । ପାଣିର ଆବଶ୍ୟକତାକୁ ଦେଖି ପ୍ରଶାସନ ନୈନିତାଲର ସମସ୍ତ ହ୍ରଦରେ ଜଳକ୍ରୀଡା ବନ୍ଦ କରି ଦିଆଯାଇଛି  ।

ପାଖାପାଖି ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି  । ଏବେ କେବଳ ଲଡିଆକାଣ୍ଟା ନିଆଁକୁ ହେଲିକପ୍ଟର ସାହାଯ୍ୟରେ ଆୟତ୍ତ କରାଯାଇଛି  । କୁମାଉଁର ଅନ୍ୟ ଜଙ୍ଗଲରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାୟୁସେନାର ସାହାଯ୍ୟ ନିଆଯିବ  । ଶନିବାର ସକାଳେ ଦୁଇଟି ହେଲିକପ୍ଟର ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ  । ସକାଳ ସାଢେ ୭ଟା ସୁଦ୍ଧା ପାଣି ଲିଫ୍ଟ କରାଯାଇ ନିଆଁ ଲିଭାଇବା କାମ ଆରମ୍ଭ କରିଥିଲା ବାୟୁସେନା  । ଶେଷରେ ଦୁଇ ଘଣ୍ଟା ପରିଶ୍ରମ ପରେ ସାଢେ ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା  ।