୩୦ରୁ ଅଧିକ କ୍ରୁ ମେମ୍ବରଙ୍କୁ ବାହାର କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରାୟ ୩୦୦ କର୍ମଚାରୀ ଅସୁସ୍ଥତା ଦର୍ଶାଇ ଛୁଟି ନେବା ଏବଂ ଫୋନ୍ ସ୍ୱିଚ୍ ଅଫ୍ କରିବା ଘଟଣାର ଦିନକ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅତି କମରେ ୩୦ କ୍ୟାବିନ କ୍ରୁଙ୍କୁ ବହିଷ୍କୃତ କରିଛି । ଏଥିସହିତ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ମଧ୍ୟ କର୍ମଚାରୀମାନଙ୍କୁ ଏକ ଅଲ୍ଟିମାଟମ୍ ଦିଆଯାଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଟାଟା ଗ୍ରୁପ୍‌ର ମାଲିକାନାରେ ଥିବା ଏୟାର ଇଣ୍ଡିଆର ଏକ ସହାୟକ କମ୍ପାନୀ ପକ୍ଷରୁ ଆଜି ମୋଟ୍ ୮୫  ବିମାନକୁ ବାତିଲ କରିଦିଆଯାଇଛି। କର୍ମଚାରୀ ସଂଘ, ଶ୍ରମ କମିଶନର ଏବଂ ମ୍ୟାନେଜମେଣ୍ଟ ମଧ୍ୟରେ ବୈଠକ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ସୂତ୍ରରୁ ପ୍ରକାଶ।

ସମୂହ ଛୁଟି ଯୋଗୁ ଏୟାର ଇଣ୍ଡିଆରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ ବହୁ ଉଡାଣ ବାତିଲ ମଧ୍ୟ ହୋଇଛି । ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରସ୍ତ କରାଯିବା ନେଇ କମ୍ପାନୀ ସୁତ୍ରରୁ ପ୍ରକାଶ।