କରୋନା ସଂକଟ ବେଳେ ଅସହାୟଙ୍କୁ ଖାଦ୍ୟ ଯୋଗାଇଲେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଆକାଶ ଦାଶ ନାୟକ

ଯାଜପୁର: କରୋନା ସଂକଟ ବେଳେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ଉଦାରବାନ ବ୍ୟକ୍ତି । ଯାଜପୁର ବ୍ୟାସନଗର ଗାନ୍ଧୀ କୃଷ୍ଠାଶ୍ରମରେ ଲୋକଙ୍କୁ ରାସନ ବାଣ୍ଟିଛନ୍ତି ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ । ଅନ୍ୟପଟେ ଝାରସୁଗୁଡା ଓ ନବରଙ୍ଗପୁରରେ ସଂଗରୋଧରେ ସଂକ୍ରମିତଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ୱେଚ୍ଛାସେବୀ ।

ବିପଦ ବେଳର ସାଥି । ଭୂତାଣୁର ଭୟାବହତା ସମୟରେ ସାହାଯ୍ୟର ହାତ । କରୋନାକୁ ଅଟକାଇବାକୁ ସବୁଆଡେ ଲକଡାଉନ୍ ଓ ସଟଡାଉନ୍ । ଏହି ସମୟରେ ଅଭାବୀଙ୍କୁ ସହାୟ ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଆକାଶ ଦାଶନାୟକ । ଯାଜପୁର ବ୍ୟାସନଗର ଗାନ୍ଧୀ କୃଷ୍ଠାଶ୍ରମରେ ସେ ଲୋକଙ୍କୁ ରାସନ ବାଣ୍ଟିଛନ୍ତି । ବସ୍ତିରେ ଲୋକଙ୍କୁ ଡାଲି, ଚାଉଳ, ତେଲ ସହିତ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି ।

ଅନ୍ୟପଟେ ଝାରସୁଗୁଡାରେ ସଂଗରୋଧରେ ଥିବା ସଂକ୍ରମିତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଯେସିଆଇ କୋଭିଡ ଆର୍ମିର ସଦସ୍ୟ । ଆକ୍ରାନ୍ତଙ୍କୁ ସୁଷମ ଖାଦ୍ୟ ଦେବା ସହିତ ମାସ୍କ ଓ ଅକ୍ସିଜେନ ମଧ୍ୟ ଯୋଗାଇ ଦେଉଛନ୍ତି ।

ସେପଟେ ନବରଙ୍ଗପୁର ପାଇଁ ବିଦେଶରୁ ଆସିଛି ସହାୟତାର ହାତ । ତାରା ଗାଁର ଦୁଇଭାଇ ଦୁବାଇରୁ ପଠାଉଛନ୍ତି ସାହାଯ୍ୟ । ଗାଁରେ ସଂକ୍ରମିତଙ୍କ ପରିବାରକୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି । ଏଥିପାଇଁ ଦୈନିକ ୪ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏସବୁର ପରିଚାଳନା କାର୍ଯ୍ୟରେ ଗାଁରେ ଥିବା ବାପାଭାଇ ସହଯୋଗ କରୁଛନ୍ତି । ଉଭୟଙ୍କର ଗାଁ ପ୍ରେମ ଓ ମହତ କାର୍ଯ୍ୟ ପାଇଁ ସବୁଠୁ ପ୍ରଂଶସାର ଛୁଟୁଛି । କରୋନା ସଂକଟ ସମୟରେ ଏଭଳି ସେବା ପାଇଁ ଲୋକଙ୍କର ଆଶୀର୍ବାଦ ଓ ଭଲପାଇବା ମିଳୁଛି । ଏହାଦ୍ବାରା ଅନେକ ଅସହାୟ ମଧ୍ୟ ସାହା ପାଉଛନ୍ତି ।

Leave a Reply