ସିଂହାସନ ଖୋଜୁଛନ୍ତି ‘ଟିପୁ’, ସୁଲତାନ କରାଇଦେଲେନି ଯୋଗୀ

ନନ୍ଦିଘୋଷ ବ୍ୟୁରୋ: ଟିପୁ  ହୋଇପାରିଲେନି ସୁଲତାନ । ଦୀର୍ଘ ପାଞ୍ଚ ବର୍ଷ ହେବ ସିଂହାସନରୁ ଦୂରେଇ ଯାଇଛନ୍ତି, ପୁନର୍ବାର ସୁଲତାନ ହେବାର ସ୍ୱପ୍ନ ଦେଖିଥିଲେ  । ପାରଜୟକୁ ଭୁଲି ନୂତନ ଦିଶା ଏବଂ ଦଶା ନେଇ ଆଗେଇ ଯାଇଥିଲେ  । କିନ୍ତୁ ପୁଣିଥରେ ଲୋକେ ପରାଜୟ ଅଭିମୁଖେ ଅଗ୍ରସର କରିଦେଇଛନ୍ତି  । ଅର୍ଥାତ ଟିପୁଙ୍କ ସୁଲତାନ ହେବାର ସ୍ୱପ୍ନକୁ ଧୁଳିସାତ କରିଦେଇଛନ୍ତି ଭୋଟର  । ଆପଣ ଭାବୁଥିବେ ନିର୍ବାଚନର ପରାଜୟ ଏବଂ ବିଜୟ ଭିତରେ ଏ ଟିପୁ କେଉଁଠୁ ଆସିଲେ  । ହଁ, ଟିପୁ ଉତ୍ତରପ୍ରଦେଶ ନିର୍ବାଚନ ଲଢୁଥୁଲେ  । କେବଳ ଲଢୁନଥିଲେ ୟୁପି ରାଜଗାଦୀରେ ବସିବା ନେଇ ମଧ୍ୟ ଘୋଷଣା କରିଥିଲେ  । ଉତ୍ତରପ୍ରଦେଶର ୪୦୩ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦୋଇଥିଲେ, ରାଜ୍ୟବ୍ୟାପୀ ପ୍ରଚାର କରିଥିଲେ  । କିନ୍ତୁ ଶେଷରେ ଗାଦି ଚାଲିଗଲା  । ଆଉ ଟିପୁଙ୍କ ସୁଲତାନ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଗଲା  ।

ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ହେଉଛନ୍ତି ସେହି ‘ଟିପୁ’  । ଅଖିଳେଶଙ୍କୁ ପରିବାର ଲୋକ ଟିପୁ ବୋଲି ଡାକିଥାନ୍ତି  । ଟିପୁ ଦୀର୍ଘଦିନ ହେବ ସୁଲତାନ ହୋଇପାରି ନାହାଁନ୍ତି  । ଯଦିବା ପୂର୍ବରୁ ସିଂହାସନରେ ଅଭିସିକ୍ତ ହୋଇଥିଲେ  । କିନ୍ତୁ ବାବା ମଝିରେ ସବୁକିଛି ଗୋଳମାଳ କରିଦେଲେ  । ଯୋଗୀ ଆଦିତ୍ୟନାଥ ୨୦୧୭ ମସିହାରେ ଉତ୍ତରପ୍ରଦେଶରେ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସତ୍ତା ଛଡ଼ାଇନେଇଥିଲେ  । ପରାଜୟକୁ ସ୍ୱୀକାର କରି ପୁଣି ଥରେ ସିଂହାସନ ଛଡାଇ ଆଣିବା ନେଇ ସଂକଳ୍ପବ୍ଧ ହୋଇଥିଲେ ଟିପୁ  । ପାଞ୍ଚବର୍ଷ ଅହରହ ପରିଶ୍ରମ କରିଥିଲେ  । ପ୍ରତିପକ୍ଷ ଦଳ ବିଜେପିର ଅନେକ ନେତାଙ୍କୁ ନିଜ ଦଳରେ ମିଶ୍ରଣ କରିଥିଲେ  । ଶେଷରେ କିନ୍ତୁ ୟୁପିବାସୀ ସୁଲତାନ ହେବାରୁ ବଞ୍ଚାଇଦେଲେ  ।

ଅର୍ଥାତ ଆଜି ଘୋଷଣା ହୋଇଥିବା ଉତ୍ତର ପ୍ରଦେଶ ନିର୍ବାଚନ ଫଳରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି  । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ  । ଦଳ ୨୭୩  ଆସନରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି  ।  ଏବଂ ସପା ୧୨୫ରେ ଅଟକିଯାଇଛି  । ସେପଟେ ଖୋଦ ଟିପୁ ଅର୍ଥାତ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ମୈନପୁର ଜିଲ୍ଲାର କଲହରପୁର ଆସନରୁ ପ୍ରାର୍ଥୀ ହୋଇଥିଲେ  । ୧୪୮୧୯୬ ଖଣ୍ଡ ଭୋଟ ପାଇ ପ୍ରତିପକ୍ଷ ପ୍ରାର୍ଥୀ ବିଜେପିର ଏସପି ବଘେଲଙ୍କୁ ପରାଜିତ କରିଛନ୍ତି  । ସେପଟେ ପ୍ରତିପକ୍ଷ ପ୍ରାର୍ଥୀ ୮୦୪୫୫ ୱଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି  । ଏହି ଆସନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ୨୦ ଫେବୃୟାରୀରେ ମତଦାନ ହୋଇଥିଲା  ।

ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ପୂର୍ଣ୍ଣବହୁମତ ସହ ସରକାର ଗଢିବା ନେଇ ଘୋଷଣା କରିଥିଲା  । ରାଜ୍ୟବ୍ୟାପୀ ପ୍ରଚାର ପ୍ରସାର ଜୋରଦାର ହୋଇଥିଲା  । ଏମିତିକି ୨୦୦ରୁ ଅଧିକ ଆସନରେ ଦଳୀୟ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହେବେ ବୋଲି ଦଳର ରାଜନୈତିକ ଗଣିତଜ୍ଞ ଅଙ୍କ କଷି ସାରିଥିଲେ  । ଟିପୁ ପାଞ୍ଚ ବର୍ଷପରେ ସିଂହାସନକୁ ଫେରିବା ନେଇ ମଧ୍ୟ ମନବଳାଇ ସାରିଥିଲେ  । ସବୁସ୍ୱତେ ବଦଳିଗଲା ୟୁପିର ଗଣିତ କାରଣ ଉତ୍ତରପ୍ରଦେଶରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୋଇଥାଏ  । ଭାଜପା ଶାସନ ପରେ ବିରୋଧୀ ଦଳରେ ଥିବା ସପା କେମିତିବା ମନ ବଳାଇ ନଥାନ୍ତା  । ତେବେ ଦୀର୍ଘ ୩୧ ବର୍ଷର ଇତିହାସରେ ବ୍ରେକ ଲଗାଇଦେଲା ଚଳିତ ନିର୍ବାଚନ  । ଦ୍ୱିତୀୟ ଥର ପାଇଁ ସରକାର ଗଢିଥିଲା ବିଜେପି  । ଏବଂ ଟିପୁଙ୍କ ସୁଲତାନ ସ୍ୱପ୍ନ ଧୂଳିସାତ ହୋଇଗଲା  ।