ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ସ୍ମାରକୀ ହେବ ଅକ୍ଷର ଭୂମି

1 min read

ଭୁବନେଶ୍ବର: ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ସଜେଇ ହୋଇଛି ଭୁବନେଶ୍ବର । ଜନତା ମଇଦାନଠାରୁ ଆରମ୍ଭ କରି ରାସ୍ତାରେ ଓଡ଼ିଆ ଭାଷାର ଝଲକ ଦେଖିବାକୁ ମିଳିଛି । ଏହି ଅବସରରେ ଭୁବନେଶ୍ବର କଳାମଣ୍ଡଳ ପରିସରରେ ନିର୍ମାଣ ହୋଇଛି ଅକ୍ଷର ଭୂମି । ଭାଷାକୁ ନେଇ ତିଆରି ହୋଇଛି ନୂଆ କାରୁକାର୍ଯ୍ୟ । ଭାଷା ସମ୍ମିଳନୀ ଉପଲକ୍ଷେ ଏହା ଏକ ସ୍ମାରକୀ ହେବାକୁ ଯାଉଛି । ଯାହା ଭାଷାବିତ୍, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ବେଶ ଆକୃଷ୍ଟ କରୁଛି । ଦିନରେ ଯେତିକି ଝଲସୁଛି ରାତି ହେଲେ ସେତିକି ବଖାଣୁଛି ଓଡ଼ିଆ ଭାଷା ଏବଂ ସଂସ୍କୃତିର ଗାଥା । ସବୁଠାରୁ ଆକର୍ଷଣୀୟ ହୋଇଛି ଓଡ଼ିଆ ଲିପି- ଅ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ସ୍ମାରକୀ ହେବ ଅକ୍ଷର ଭୂମି। କାନ୍ଥବାଡ ବଖାଣୁଛି ଓଡ଼ିଆ ଲିପିର କାହାଣୀ । ପଥର ଖୋଦିତ ଅକ୍ଷର ସାଙ୍ଗକୁ ଥ୍ରୀଡି ଝଲକ । ଦିନ ଅପେକ୍ଷା ରାତିରେ ଦିଶୁଛି ଅଧିକ ଆକର୍ଷଣୀୟ । ମନ ମୋହୁଛି ମୁକ୍ତେଶ୍ବର ମନ୍ଦିର ତୋରଣ ଆକୃତିର ତୋରଣ । ଭାଷାବିତଙ୍କୁ ଟାଣି ନେଉଛି ବୃହତ୍ ଆକୃତିର ଓଡ଼ିଆ ଲିପି `ଅ’। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଭୁବନେଶ୍ବର ଗଜପତି ନଗର କଳାମଣ୍ଡଳ ପରିସରରେ ନିର୍ମାଣ ହୋଇଥିବା ଅକ୍ଷର ଭୂମି ପ୍ରତିଟି ଓଡ଼ିଆଙ୍କୁ କରିବ ଆକର୍ଷିତ । ୪୦ ମିଟର ଲମ୍ବ ଓ ୩୦ ମିଟର ଚଉଡାର ଏହି ପ୍ରକଳ୍ପ । ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମସ୍ତ ନିର୍ମାଣ ଖଣ୍ଡୋଲାଇଟ୍ ପଥରେ କରାଯାଇଛି ।

ଶିଳ୍ପୀମାନଙ୍କ ହାତଛୁଆଁରେ ପଥରର କାରୁକାର୍ଯ୍ୟ ଜୀବନ୍ତ ହୋଇ ଉଠିଛି । ଅକ୍ଷର ଭୂମି ମଝି ଅଂଶରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ତୋରଣ ଶୈଳୀରେ ଏକ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି କରାଯାଇଛି । ତୋରଣର ଠିକ୍ ପଛରେ ଓଡ଼ିଆ ଲିପି ‘ଅ’ର ବୃହତ ଅକ୍ଷର କରାଯାଇଛି । ଦୁଇ ପାର୍ଶ୍ଵରେ ୬ଟି ଅକ୍ଷର କାନ୍ଥ ରହିଛି । କାନ୍ଥ ଗୁଡ଼ିକରେ ଖଣ୍ଡୋଲାଇଟ୍ ପଥରକୁ ଖୋଦେଇ କରାଯାଇ ଓଡ଼ିଆ ବର୍ଣ୍ଣମାଳାକୁ ସ୍ଥାନ ଦିଆଯାଇଛି । ଖୋଦେଇ ଅକ୍ଷର ଭିତରେ ଅତ୍ୟାଧୁନିକ ଆଲୋକ ଲଗାଯାଇଛି । ଯାହା ରାତି ସମୟରେ ପରିସର ଅଧିକ ସୁନ୍ଦର କରୁଛି । ଖାଲି ସେତିକି ନୁହେଁ ଏଠାରେ ପଥରର କାରୁକାର୍ଯ୍ୟ ସହ ସବୁଜମୟ ପରିବେଶ ଆଖିଦୃଶିଆ ହୋଇଛି । ଚାରି କୋଣରେ ସବୁଜ ଘାସ ସହ ଫୁଲ ଗଛ ଲଗାଯାଇଛି । ଏଥିସହ ଫୁଟ୍ ପାଥ୍, ସେଲଫି ଜୋନ୍ ମଧ୍ୟ କରାଯାଇଛି ।

ପାଚେରି ଚାରିପାଖରେ ବଡ଼ ବଡ଼ ବଉଳ ଗଛ ଓ ଆଲୋକୀକରଣ ପରିବେଶକୁ ସ୍ବତନ୍ତ୍ର ପରିଚୟ ଦେଉଛି । ଭାଷା ସମ୍ମିଳନୀର ସ୍ମାରକୀ ଭାବେ ‘ଅକ୍ଷର ଭୂମି’ ସବୁ ବେଳେ ସ୍ମୃତିକୁ ସତେଜ କରି ରଖିବ ।

ଚିତ୍ରକଳା ପ୍ରଦର୍ଶନୀ

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶିତ ହେଲା ସମସାମୟିକ ଚିତ୍ରକଳା । ଏଥିରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀଙ୍କ ଦ୍ୱାରା ୩୬ଟି ସୁନ୍ଦର ସୁନ୍ଦର ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଉତ୍ସବକୁ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ର ଶିଳ୍ପୀ ବିନୋଦ ମହାରଣା, ବଂଶୀଧର ପ୍ରତିହାରୀ ଓ ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରମୁଖ ଉଦଘାଟନ କରିଥିଲେ । ଏଥିରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ରଶିଳ୍ପୀ ଡ଼ ମୁରଲିଧର ଟାଲି, ରବିନାରାୟଣ ନାୟକ, ଅଜିତ କେଶରୀ ରାୟ, ଅନନ୍ତ କୁମାର ପଣ୍ଡା, ଅସିତ ମୁଖାର୍ଜୀ, ଗୋକୁଳ ବିହାରୀ ପଟ୍ଟନାୟକ, ଡ଼ ଦୁର୍ଗା ପ୍ରସାଦ ଦାସ, ପଦ୍ମଭୂଷଣ ଡ଼ ଯତୀନ ଦାସ, ଦୀନନାଥ ପାଠୀ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ବନବିହାରୀ ପରିଡ଼ା, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର କାନୁନଗୋ, ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ ପ୍ରମୁଖଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସାଧାରଣ ଲୋକ ସକାଳ ୧୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବୁଲି ଏହି ଚିତ୍ରକଳାର ମଜା ନେଇପାରିବେ ।