ଅତିକ ଅହମ୍ମଦ ହତ୍ୟା ଘଟଣା, ପ୍ରତିଶୋଧ ନେବାକୁ ଧମକ ଦେଲା ଅଲ କଏଦାର ଆଞ୍ଚଳିକ ଶାଖା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ହତ୍ୟା ଘଟଣା । ପ୍ରତିଶୋଧ ନେବାକୁ ଧମକ ଦେଲା ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲ କଏଦାର ଆଞ୍ଚଳିକ ଶାଖା । ଏହାଛଡ଼ା ଅତିକଙ୍କୁ ସହିଦ ବୋଲି ଦର୍ଶାଇଛି ସଂଗଠନ । ଗତ ଏପ୍ରିଲ ୧୫ ତାରିଖରେ ପ୍ରୟାଗରାଜରେ ଅତିକ ଓ ଭାଇ ଅସରଫଙ୍କୁ ହତ୍ୟା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିବାବେଳେ ହତ୍ୟାକାଣ୍ଡକୁ ନେଇ ଅଲ କଏଦା ମୁହଁ ଖୋଲିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଛି ।

ଭାରତୀୟ ଉପମହାଦେଶ ଅନ୍ତର୍ଗତ ଅଲ କଏଦା ବା ଏକ୍ୟୁଆଇଏସ ପକ୍ଷରୁ ଏକ ସାତ ପୃଷ୍ଠା ବ୍ୟାପୀ ମାଗାଜିନ ରିଲିଜ କରାଯାଇଛି ଏବଂ ଏଥିରେ ଅତିକ ସପକ୍ଷରେ ଏକ ପରିଚ୍ଛେଦ ସ୍ଥାନ ପାଇଛି । ସେଥିରେ ଅତିକକୁ ଜଣେ ସହିଦ ବୋଲି ଦର୍ଶାଯାଇଛି । ଏଥିରେ ବିଶ୍ବର ମୁସଲିମ ଭାଇଭଉଣୀଙ୍କୁ ମୁକ୍ତି ଲାଗି ଆହ୍ବାନ ଦିଆଯାଇଛି । ଗତ ୧୫ ତାରିଖରେ ଅତିକ ଓ ଭାଇ ଅସରଫଙ୍କୁ ପ୍ରୟାଗରାଜରେ ମେଡିକାଲ ଚେକଅପ ଲାଗି ନେବାବେଳେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଫାୟାରିଂ କରି ହତ୍ୟା କରାଯାଇଥିଲା ।