ଆଜି ଓ କାଲି ଖୋଲା ରହିବ ଦେଶର ସମସ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ : ଆଜି ଓ କାଲି ଖୋଲା ରହିବ ଦେଶର ସମସ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ । ଏନେଇ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛି ଭାରତର ବୀମା ନିୟାମକ ଓ ବିକାଶ ନିୟାମକ ବା ଆଇଆରଡିଏ । ପଲିସିଧାରୀଙ୍କ ନିମନ୍ତେ ସୁବିଧା କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଥିବାବେଳେ ଏହି ଦିବସ ହେଉଛି ଚଳିତ ଆର୍ଥିକ ବର୍ଷର ଶେଷ ଦିନ । ପଲିସିଧାରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ଆଇଆରଡିଏ ନିର୍ଦ୍ଦେଶ ଦେଇଛି । ଆଇଆରଡିଏର ନିର୍ଦ୍ଦେଶ ପରେ ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସି ପକ୍ଷରୁ କୁହାଯାଇଛି ସାରା ଦେଶରେ ଏହି ଦୁଇ ଦିନ ଏଲଆଇସିର ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ । ସେପଟେ ସରକାରୀ ସମ୍ପର୍କିତ କାରବାର ଜଡ଼ିତ ରହୁଥିବାରୁ ୩୧ ତାରିଖରେ ବ୍ୟାଙ୍କ ଶାଖାଗୁଡିକୁ ଖୋଲା ରଖିବା ଲାଗି ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ଯାଙ୍କ । ସାଧାରଣ କାର୍ଯ୍ୟଦିବସ ପରି ରବିବାର ବି ବ୍ୟାଙ୍କ ଶାଖାଗୁଡିକ କାର୍ଯ୍ୟ କରିବେ । ତେଣେ ଆସନ୍ତା ଏପ୍ରିଲ ୧ରେ ୨୦୦୦ ଟଙ୍କିଆ ନୋଟ ଜମା କରାଯାଇପାରିବ ନାହିଁ ବୋଲି କହିଛି ରିଜର୍ଭ ବ୍ଯାଙ୍କ । ବାର୍ଷିକ ଆକାଉଣ୍ଟ କ୍ଲୋଜିଂ କାର୍ଯ୍ୟ ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୨ରୁ ୨୦୦୦ ଟଙ୍କିଆ ନୋଟ ଜମା ପ୍ରକ୍ରିୟା ଚାଲିବ । ମାର୍ଚ୍ଚ ୩୧ମଧ୍ୟରାତ୍ରୀ ଯାଏ ନ୍ଯାସନାଲ ଇଲେକ୍ଟ୍ରୋନିକସ ଫଣ୍ଡସ ଟ୍ରାନ୍ସଫର ବା ଏନଇଏଫଟି ଓ ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ ବା ଆରଟିଜିଏସ ଉପଲବ୍ଧ ହେବ ।