ବାସ୍ତବତାର ଯାତ୍ରା ଭରିବ ମେଟ୍ରୋ ସ୍ବପ୍ନ; ଆଜି କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର :  ଆଜି ନୂଆ ବର୍ଷରେ ଲେଖାହେବ ନୂଆ ଅଧ୍ୟାୟ । କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ହେବ ଶିଳାନ୍ୟାସ ଉତ୍ସବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ହଜାର ୨୫୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର ମେଟ୍ରୋ ଚଳାଚଳ ପାଇଁ ତ୍ରିଶୂଳିଆ ଛକ ହେବ ପରିବହନର ମୁଖ୍ୟ କେନ୍ଦ୍ରସ୍ଥଳୀ ।

ବାରଙ୍ଗ ମୌଜାରେ ମେଟ୍ରୋ ଟ୍ରେନ ପ୍ରକଳ୍ପର କେନ୍ଦ୍ରୀୟ ଓ୍ବାର୍କସପ୍ କରାଯିବ । ବାରଙ୍ଗ ରତାଗଡ଼ ଅଞ୍ଚଳରେ ୨୦ ଏକର ଜମିରେ ସର୍ଭେ କାମ ବି ଶେଷ ହୋଇଛି । ୪ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମେଟ୍ରୋ ଟ୍ରେନ ଶିଳ୍ୟାନ୍ୟାସ ଉତ୍ସବ ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାରଙ୍ଗ ଛକ, ବାରଙ୍ଗରୁ ରତାଗଡ଼-ଲେଙ୍କାସାହି ଶିଳାନ୍ୟାସ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ସବୁଠି ଜୋରଦାର ପ୍ରସ୍ତୁତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ପରେ ଆରମ୍ଭ ହେବ ବିଶାଳ ରୋଡ଼ ସୋ । ସବୁ ପ୍ରମୁଖ ଛକରେ ସମ୍ବର୍ଦ୍ଧନା ଓ କୃତଜ୍ଞତା ପାଇଁ ହଜାର ହଜାର ଲୋକ ଏକାଠି ହେବେ । ବାରଙ୍ଗ ଯିବା ବେଳେ ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । କ୍ୟାପିଟାଲ ହସ୍ପିଟାଲ, ଶାସ୍ତ୍ରୀନଗର, କଳିଙ୍ଗ ଷ୍ଟାଡ଼ିୟମ, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଚନ୍ଦ୍ରଶେଖରପୁର, ପଟିଆ, କିଟ୍ ଛକ, ନନ୍ଦନବିହାର, ରଘୁନାଥପୁର, ବାରଙ୍ଗ, ଫୁଲପୋଖରୀରେ ସମ୍ବର୍ଦ୍ଧନା ପର୍ବର ଆୟୋଜନ ହୋଇଛି ।