ପ୍ରଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ହାଇକୋର୍ଟଙ୍କୁ ବେଖାତିର କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ

1 min read

ଭୁବନେଶ୍ୱର: ପ୍ରଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ହାଇକୋର୍ଟଙ୍କୁ ବି ବେଖାତିର କରୁଛନ୍ତି ବ୍ରହ୍ମପୁର ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ଏପ୍ରିଲ ମାସରେ ତିନୋଟି ତାରିଖରେ କୋର୍ଟରେ ହାଜର ନହୋଇ ଅବମାନନା କରିଛନ୍ତି ପ୍ରଦୀପ। ଗତ ମାସରେ ୧୫, ୧୮ ଓ ୩୦ ତାରିଖରେ କୋର୍ଟରେ ହାଜର ହୋଇନାହାଁନ୍ତି ପ୍ରଦୀପ। ଫଳରେ ତାଙ୍କର ଜାମିନ ଖାରଜ ହୋଇଯିବାର ସମ୍ଭାବନା ବଢିଯାଇଛି। ଗରିବ ଲୋକଙ୍କୁ ଚାକିରି କରାଇଦେବାର ମିଛ ପ୍ରତଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଜେଲ ଯାଇଥିଲେ ଜନବିରୋଧୀ ନେତା ପ୍ରଦୀପ। ଏବେ ବେଲରେ ଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରୁଛନ୍ତି।

ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ ହାଇକୋର୍ଟ। ହେଲେ ଆଦେଶନାମାରେ ଥିବା ସର୍ତ୍ତାବଳୀ ଗୁଡ଼ିକୁ ବାରମ୍ବାର ଉଲ୍ଲଂଘନ କରାଯାଉ ଥିବାର ଦେଖିବାକୁ ମିଳିଛି । ଅଦାଲତ ଜାରି କରିଥିବା ସର୍ତ୍ତରେ ପ୍ରଦୀପ ପାଣିଗ୍ରାହୀ ବ୍ୟକ୍ତିଗତ ଭାବରେ ପ୍ରତି ତାରିଖରେ କୋର୍ଟରେ ହାଜର ହେବେ। ହେଲେ କ୍ରମାଗତ ଭାବରେ ପାଣିଗ୍ରାହୀ ଏହାର ଉଲ୍ଲଂଘନ କରିଚାଲିଛନ୍ତି । ଜାମିନରେ ଥିବା ସମୟରେ କେସରେ ଜଡ଼ିତ କୌଣସି ବିବୃତ୍ତି ଗଣମାଧ୍ୟମ ଆଗରେ ରଖିବେ ନାହିଁ। କୌଣସି ଗଣମାଧ୍ୟମ ସାକ୍ଷାତକାର କରିବେ ନାହିଁ। ମାତ୍ର ବିଭିନ୍ନ ସମୟରେ ବିଭିନ୍ନ ଆଳରେ ପ୍ରଦୀପ ଗଣମାଧ୍ୟମରେ ପ୍ରତ୍ଯକ୍ଷ ଓ ପରୋକ୍ଷ ଭାବରେ ବିବୃତି ରଖୁଛନ୍ତି। ଯେଉଁଥିପାଇଁ ତାଙ୍କର ଜାମିନ୍ ଖାରଜ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ଟାଟା ମୋଟର୍ସରେ ଚାକିରି କରାଇଦେବାର ମିଛ ପ୍ରତିଶୃତି ଦେଇ ନିରୀହ ଗରିବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ଗୋପାଳପୁର ବିଧାୟକ ଓ ବର୍ତ୍ତମାନର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ। ଟାଟା ମୋଟର୍ସ୍ ଲିମିଟେଡ ତରଫରୁ କରାଯାଇଥିବା ଏତଲା ମୁତାବକ ଆକାଶ ପାଠକ ଟାଟା ମୋଟର୍ସ୍ କମ୍ପାନୀର ଜାଲ ଇ-ମେଲ୍ ଆଇଡି ତିଆରି କରିବା ସହ ନିଜକୁ ଟାଟା ମୋଟର୍ସର ଏମ. ଡି ପରିଚୟ ଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୁଖ୍ଯତଃ ବ୍ରହ୍ମପୁର ଅଞ୍ଚଳର ବହୁ ଗରିବ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ମାମଲା ଏବେବି ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବିଚାରାଧୀନ ରହିଛି।

ଅନ୍ୟପଟେ ବିଜେଡି ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ଖୁବ ବର୍ଷିଛି। ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, ପ୍ରଦୀପ ୪ ରୁ ୫ ଥର ହେଲାଣି ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେଉନାହାଁନ୍ତି। ହେଲେ ପ୍ରଶ୍ନ ଉଠୁଛି, ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତି ପ୍ରଦୀପଙ୍କର କଣ କୌଣସି ସମ୍ମାନ ନାହିଁ । ତେଣୁ ପ୍ରଦୀପ ଜଣେ ଅଦାଲତ ଅବମାନନା କରିଥିବା ଏକ ଆସାମୀ ବୋଲି ବିଜେଡି ବିବେଚନା କରୁଛି । ଲୋକେ ମଧ୍ଯ ତାଙ୍କୁ ସେଭଳି ଦେଖୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।