spot_img

Latest Posts

ନୂଆପଡାରେ ପୋଲିସ ଓ ପ୍ରଶାସନର ବ୍ୟାପକ ଅପବ୍ୟବହାର ଅଭିଯୋଗ

ନୂଆପଡାରେ ପୋଲିସ ଓ ପ୍ରଶାସନର ବ୍ୟାପକ ଅପବ୍ୟବହାର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନୂଆପଡାରେ ପୋଲିସ ଓ ପ୍ରଶାସନର ବ୍ୟାପକ ଅପବ୍ୟବହାର ଅଭିଯୋଗ । କେତେବେଳେ ବିଜେଡି ନେତାଙ୍କ ଘରେ ବିନା ସର୍ଚ୍ଚ ଓ୍ବାରେଣ୍ଟରେ ଅଚାନକ ଚଢାଉ କରାଯାଉଛି ତ କେତେବେଳେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ବେଳେ ପୋଲିସ ପଶି ନାଲିଆଖି ଦେଖାଉଛି । ଦୁଇ ଦିନ ପୂର୍ବରୁ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ସମୟରେ ପୋଲିସ ପଶି ଯାଇଥିଲା । ଆଜି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ରହୁଥିବା ଭଡା ଘରେ ପଶି ଖାନତଲାସୀ କରିଛି ପୋଲିସ । ତାହା ପୁଣି ବିନା ସର୍ଚ୍ଚ ୱାରେଣ୍ଟରେ । ପ୍ରତିବାଦ କରିବାକୁ କେୟାର ଟେକରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

ନୂଆପଡା ଉପନିର୍ବାଚନରେ ବିଜେପିକୁ ଘାରିଛି କି ହାରିଯିବାର ଭୟ ? ଭୟରେ ବିଜେଡି ନେତାଙ୍କ ଘରେ ଅତର୍କିତ ଚଢାଉ ଅଭିଯୋଗ । ବିରୋଧୀଙ୍କୁ ଭୟଭୀତ କରିବାକୁ ସରକାରୀ କଳର କରାଯାଉଛି ଅପବ୍ୟବହାର । ନୂଆପଡା ଉପନିର୍ବାଚନ ଦିନ ଯେତିକି ପାଖଉଛି, ପୋଲିସ ଓ ପ୍ରଶାସନିକ କଳର ଅପବ୍ୟବହାର ସେତିକି ଘନେଇବା ଆରମ୍ଭ ହୋଇଛି । ଆଜି ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ରହୁଥିବା ଭଡା ଘରେ ପୋଲିସ କରିଥିଲା ଚଢାଉ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ପ୍ରୀତିରଂଜନ ଖରିଆର ରୋଡ ଏନଏସିରେ ଏକ ଭଡା ଘରେ ରହୁଥିଲେ । ଆଜି ସେ ପ୍ରଚାରକୁ ଯିବା ପରେ ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ଘରେ ପୋଲିସ କରିଥିଲା ଚଢାଉ । ଘରେ କେବଳ କେୟାରଟେକର ରାକେଶ କୁମାର ପଣ୍ଡା ଥିଲେ । ମାଜିଷ୍ଟ୍ରେଟଙ୍କ ସହ ଖରିଆର ରୋଡ଼ ପୋଲିସର ଏକ ଟିମ ପ୍ରୀତିରଂଜନଙ୍କ ଘର ଖାନତଲାସ କରିବାକୁ ଆସିଥିଲେ । ବିନା ସର୍ଚ୍ଚ ୱାରେଣ୍ଟରେ ଚଢାଉ ପାଇଁ ଆସିଥିବା ପୋଲିସ ଟିମକୁ କେୟାର ଟେକର ବିରୋଧ କରିବାରୁ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ବିଜେପି ହାରିଯିବା ଭୟରେ ଏଭଳି ଆଚରଣ ବିଧିର ଖୋଲା ଉଲଂଘନ କରୁଥିବା ବିଜେଡି ଅଭିଯୋଗ କରିଛି ।

ସମାନ ଅଭିଯୋଗ ଆଣିଛି କଂଗ୍ରେସ । ନୂଆପଡାରେ ସରକାରୀ କଳକୁ କାମରେ ଲଗାଇଛନ୍ତି ଡବଲ ଇଞ୍ଜିନ ସରକାର । ନୂଆପଡାରେ ବିରୋଧୀଙ୍କ ବିରୋଧରେ ସରକାରୀ କଳକୁ ବିଜେପି ବ୍ୟବହାର କରୁଛି ବୋଲି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି । ବିଜେପି ସରକାରୀ କର୍ମଚାରୀ ଓ ପୋଲିସକୁ ଭୋଟରଙ୍କୁ ପ୍ରଭାବିତ କରିବାକୁ କାମରେ ଲଗାଇଛି । ଏମାନଙ୍କର ନୂଆପଡ଼ାବାସୀଙ୍କ ସହ କୌଣସି ସଂପର୍କ ନାହିଁ । କାରଣ ସରକାରୀ କର୍ମଚାରୀ ଓ ପୋଲିସ ଲୋକମାନଙ୍କ ତଣ୍ଟି ଚିପିଛନ୍ତି । ଗତ ଦେଢ ବର୍ଷ ଭିତରେ ନୂଆପଡାରେ ଗୋଟିଏ ହେଲେ ବିକାଶମୂଳକ କାମ ହୋଇନାହିଁ । ଛାତ୍ର, ଯୁବକ, ଚାଷୀ ଓ ମହିଳାଙ୍କ ବିକାଶ ପାଇଁ ଦୃଷ୍ଟି ଦିଆଯାଇ ନାହିଁ । ଏବେ ବି ସେଠି ଯୁବକ ଦାଦନ ଯାଉଛନ୍ତି । ତେଣୁ ବିଜେପି ଜାଣିଗଲାଣି ନୂଆପଡାରେ ଦଳ ହାରିଯିବ । ତେଣୁ ସରକାରୀ ଅଧିକାରୀଙ୍କୁ ଭୋଟରଙ୍କୁ ପ୍ରଭାବିତ କରିବା କାମରେ ନିୟୋଜିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିରୋଧୀଙ୍କ ଅଭିଯୋଗ ଉପରେ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି । ଏପରିକି ପୋଲିସ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହିଁ । କିନ୍ତୁ ଭୋଟ ପୂର୍ବରୁ ପୋଲିସର ଏଭଳି ଦାଦାଗିରିକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Latest Posts

Don't Miss