ଜାତୀୟ ଗଣମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

2 min read
Amid Covid Crisis National Media Praised Odisha CM Naveen Patnaik

ଭୁବନେଶ୍ୱର: କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି । ଅମ୍ଲଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଅକ୍ସିଜେନ୍ ପଠାଇ ସାଉଣ୍ଟିଛନ୍ତି ପ୍ରଶଂସା ।

ଅନେକ ରାଜ୍ୟରେ ଅକ୍ସିଜେନ୍ ଅଭାବ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତୀୟ ଗଣମାଧ୍ୟମରେ ପ୍ରଶଂସା କରାଯାଉଛି । ଇଣ୍ଡିଆ ଟୁ଼ଡ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ଦି ଲଲନଟପ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି । କରୋନା ସଂକଟ କାଳରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇତିହାସ ମନେ ରଖିବ ବୋଲି ଦି ଲଲନଟପ୍ ଲେଖିଛି ।

ଦେଶରେ ଅକ୍ସିଜେନ୍ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଦେଶରେ କରୋନା ସ୍ଥିତି ନେଇ ଆଲୋଚନା କରିବା ସହ ସ୍ଥିତିକୁ ଯୁଦ୍ଧକାଳୀନ କହିଥିଲେ । ଅକ୍ସିଜେନ୍ ଅଭାବ ସ୍ଥିତିରେ ଓଡ଼ିଶା ଦେଶ ସହ ଅନ୍ୟ ରାଜ୍ୟକୁ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନକୁ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅକ୍ସିଜେନ୍ ଟ୍ୟାଙ୍କର ପରିବହନ ଲାଗି ଏଡିଜି ଆଇନ୍ ଓ ଶୃଙ୍ଖଳା ଜେଠୱାଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କରିଥିଲେ ଡିଜିପି । ଏଥିସହ ପୋଲିସ ପକ୍ଷରୁ ଏକ୍ସିଜେନ୍ ଟ୍ୟାଙ୍କରକୁ ଗ୍ରୀନ୍ କରିଡରରେ ଏସକର୍ଟ କରି ନେଉଛି । ଓଡ଼ିଶାର ଏଭଳି ପଦକ୍ଷେପ ପରେ ମହାରାଷ୍ଟ୍ର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ଟ୍ୟାଙ୍କରରେ  ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଯାଇଛି । ରାଜ୍ୟର ଯାଜପୁର, ଅନୁଗୁଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନକୁ ଆନ୍ଦ୍ରପ୍ରଦେଶର ବିଶାଖପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ୍, ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ରର ମୁମ୍ୱାଇ, ପୁନେ ଓ ନାଗପୁରକୁ ପଠାଯାଇଛି । ଆଉ ଅବାଧରେ ଏହି ଅକ୍ସିଜେନ୍ ଟ୍ରାନ୍ସପୋର୍ଟ ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସଜେନ୍ ପଠାଯାଇଛି ।

Leave a Reply