ଫୋନ୍ କଲେ ତୁରନ୍ତ ଲାଗିବ କଲ୍, ଆଉ ଶୁଭିବନି ଅମିତାଭଙ୍କ ସାଇବର ଫ୍ରଡ୍ ଠକେଇ ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଅନଲାଇନ କାର୍ଯ୍ୟ ବଢ଼ିବା ସହିତ ସାଇବର ଫ୍ରଡ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକ ବ୍ୟାପକ ଅଭିଯାନ ଚଳାଇଥିଲେ । ଆପଣମାନେ ଯେତେବେଳେ ବି ଫୋନ କରୁଥିଲେ, ସେହି ସମୟରେ ଏକ କଲର ଟ୍ୟନ ବାଜୁଥିଲା । ସେଥିରେ ଶତାବ୍ଦୀର ମହାନାୟକ ଅମିତାଭ ବଚନ ସାଇବର କ୍ରାଇମ ବାବଦରେ ସୂଚନା ଦେଉଥିଲେ । ମାତ୍ର ସେହି କଲର ଟ୍ୟୁନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା ଓ ସୋସିଆଲ ମିଡ଼ିଆରେ ତାହାକୁ ବନ୍ଦ କରିବା ପାଇଁ ସ୍ବର ଉଠିଥିଲା ।

ମିଡ଼ିଆା ରିପୋର୍ଟ ମୁତାବକ, ସରକାର ଏବେ ତାହାକୁ ହଟାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂତ୍ର ମୁତାବକ, ଏହି ଅଭିଯାନ ଏବେ ସମାପ୍ତ ହୋଇଯାଇଛି । ଏଥିପାଇଁ କଲର ଟ୍ୟୁନକୁ ହଟାଇ ଦିଆଯାଇଛି । ବହୁ ଲୋକଙ୍କ ଠାରୁ ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜରୁରୀକାଳୀନ କଲ୍‌ କରିବା ସମୟରେ ତାହା ଲୋକଙ୍କୁ ଅସୁବିଧାରେ ପକାଉଥିଲା । ଏହି କାରଣରୁ ଫୋନ କଲେ ସାମ୍ନା ଲୋକଙ୍କ ସହ ତୁରନ୍ତ କଥା ହେବା ସମ୍ଭବ ହୋଇପାରୁନଥିଲା । ପୂର୍ବରୁ ଅମିତାଭଙ୍କ ସ୍ବର ଥିବା ଟ୍ୟୁନ ୪୦ ସେକେଣ୍ଡ ପର୍ଯ୍ୟନ୍ତ ବାଜୁଥିଲା, ତା’ପରେ କଲ୍ ସଂଯୋଗ ହେଉଥିଲା । ନିକଟରେ ଅମିତାଭଙ୍କୁ ଏହି ଟ୍ୟୁନ ପାଇଁ ଟ୍ରୋଲ କରାଯାଇଥିଲା ।