କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥରାଶି, ବଢ଼ିଲା ଗରିବଙ୍କ ଛାତ ଘର ଗଢ଼ିବା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣରେ ଦିଆଯାଉଥିବା ଆର୍ଥିକ ସହାୟତା । ଗରିବଙ୍କୁ ନୂଆ ଘର ଯୋଗାଇ ଦେବାକୁ ଯେଉଁ ସହାୟତା ରାଶି ଦିଆଯାଇଥିଲା ସେଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବର୍ଷ ବର୍ଷ ଧରି ଦିଆଯାଉଥିବା ଅନ୍ତ୍ୟୋଦୟ ଓ ଆବାସ ଯୋଜନାର ଟଙ୍କାକୁ କାହିଁକି ହ୍ରାସ କରାଗଲା ବିଜେଡି ବିଧାୟକ ରମେଶ ବେହେରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ କହିଛି, ସରକାର ଲୋକଙ୍କ କ୍ଷତି କରୁଛନ୍ତି ।
ଏଣିକି ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣ କଲେ ହିତାଧିକାରୀଙ୍କୁ ମିଳିବନି ପୂର୍ବ ପରି ଆର୍ଥିକ ସହାୟତା । ପୂର୍ବରୁ ଅନ୍ତ୍ୟୋଦୟ ଯୋଜନାରେ ନୂତନ ଗୃହ ନିର୍ମାଣ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ହିତାଧିକାରୀଙ୍କୁ ମିଳୁଥିଲା । ଏବେ ଏଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଫଳରେ ଗରିବ ଲୋକଟି କିପରି ସ୍ବପ୍ନର ଘର ନିର୍ମାଣ କରିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି । ଦିନକୁ ଦିନ ସବୁ ଜିନିଷର ଦର ବୃଦ୍ଧି ଘଟି ଚାଲିଛି । ଗରିବ ଲୋକଙ୍କ ଘର ନିର୍ମାଣ କରିବାରେ ଆର୍ଥିକ ସହାୟତା ବଢାଇବା ପରିବର୍ତ୍ତେ ସରକାର କମାଇଥିବା ବିଜେଡି ବିଧାୟକ ରମେଶ ବେହେରା ଅଭିଯୋଗ କରିଛନ୍ତି । କାହିଁକି ଓ କେଉଁ କାରଣରୁ ବିଜେପି ସରକାର ଗରିବଙ୍କ ଘର ନିର୍ମାଣ ଟଙ୍କା କାଟିଲା ତାକୁ ନେଇ ଶାସକ ଦଳକୁ ଘେରିଛି ବିଜେଡି । ତୁରନ୍ତ ପୂର୍ବପରି ଅନ୍ତ୍ୟୋଦୟ ଯୋଜନାରେ ଗୃହ ନିର୍ମାଣ ପାଇଁ ୟୁନିଟ କଷ୍ଟ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ଦାବି କରିଛି ବିଜେଡି । ବିଧାୟକ ରମେଶ ବେହେରା କହିଛନ୍ତି, ଟଙ୍କା ହ୍ରାସ ଯୋଗୁଁ ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇପାରୁନାହାଁନ୍ତି ।
ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପୂର୍ବ ସରକାର ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଘର ଯୋଗାଇ ଦେଇଥିଲେ । ଅନ୍ତ୍ୟୋଦୟ ଯୋଜନାରେ ଭିନ୍ନକ୍ଷମ, ବିଧବା, ସହିଦ, ପଦ୍ମଶ୍ରୀ ପୁରସ୍କାର ପାଇଥିବା ପରିବାର, ଅଗ୍ନିକାଣ୍ଡ କ୍ଷତିଗସ୍ତ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି କଂଗ୍ରେସ । ବିଜେପି କାହିଁକି ଲୋକଙ୍କ ମୁଣ୍ଡ ଉପରୁ ଛାତ ଘର ଛଡ଼ାଇ ନେବାକୁ ବ୍ୟବସ୍ଥା କରୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେଣେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଘର ଯୋଗାଇ ଦେଉଛନ୍ତି ।